FeaturedLatestNews

୧୦ ନୁହେଁ ୧୨ରେ ଓଡ଼ିଶାରେ ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର (ସଂକେତ ଟିଭି) ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ ବଦଳିଛି । ୧୦ ନୁହେଁ ୧୨ରେ ଓଡ଼ିଶାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପୂର୍ବରୁ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା । ଏବେ ଏଥିରେ ପୁଣି ପରିବର୍ତ୍ତନ ହୋଇଛି ।

ଏ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସୂଚନା ପ୍ରଦାନ କରି କହିଛନ୍ତି, ୧୧ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଓଡ଼ିଶା ସମେତ ୨ଟି ରାଜ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚାଗଲା । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟସ୍ତ ରହିବେ । ସାଂସଦ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ ବୋଲି ଯତୀନ ମହାନ୍ତି କହିଛନ୍ତି ।

ସେପଟେ କିଏ ଓଡିଶାର ମଙ୍ଗ ଧରିବେ ସେନେଇ ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଫଳରେ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ସେପଟେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମଇଦାନ ସଜେଇ ହେଉଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।୩୦ ଜିଲ୍ଲାରୁ ନିମନ୍ତ୍ରିତ ଅତିଥିମାନଙ୍କୁ ପାଛୋଟି ଆଣିବାକୁ ବିଏମସିର ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହେବେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ଭିଭିଆଇପି ଯୋଗଦେବାର ସୂଚନା ରହିଛି ।