LatestNews

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର(ସଂକେତ ଟିଭି): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । ଦକ୍ଷିଣ ଓଡ଼ିଶାରେ ଏହା ପ୍ରବେଶ କରିବା ସହିତ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରୀୟ ହୋଇଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ମାଲକାନିଗିରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଆଗାମୀଚା ଚାରି ରୁ ପାଞ୍ଚ ଦିନ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଜାରି ରହିବ । ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ଯାଜପୁର, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ । ହେଲେ ଏଥର ଦୁଇ ଦିନ ଆଗରୁ ମୌସୁମୀ କେରଳ ଉପକୂଳଠାରେ ପ୍ରବେଶ କରିଥିଲା । ଏଇଠୁ ଦେଶରେ ବର୍ଷା ଋତୁ ଆରମ୍ଭ ହୋଇଥିଲା । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୁରା ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷିବା ଆକଳନ କରାଯାଉଛି ।