CulturalFeaturedLatest

ପୁରୀ ଛଡା ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା, ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୂବନେଶ୍ୱର ୦୬।୦୭ : (ସଂକେତ୍ ଟିଭି) ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମଣାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି । ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା ।

ପ୍ରଧାନ ବିଚାରପତି କହିଛନ୍ତି, ଏପରି ନିଷ୍ପତ୍ତି ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ୍ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସ୍ଥିତ ବଳଦେବଜୀଉ ଏବଂ ଭଟଲି ଦଧିବାମନଙ୍କ ରଥଯାତ୍ରା ଲାଗି ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା । ଦାୟର ପିଟିସନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ । ରାଜ୍ୟର ଆଉ କେତେକ ସ୍ଥାନରେ ରଥଯାତ୍ରା ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଥିଲା । ତେବେ ଏହିସବୁ ପିଟିସନର ଶୁଣାଣି କରି ରାଜ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କାଏମ ରଖିଥିଲେ ହାଇକୋର୍ଟ ।

ଗତବର୍ଷ ସୁପ୍ରିମକୋର୍ଟ ପୁରୀରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ । ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପୁରୀରେ ରଥଯାତ୍ରା ପାଳନ ହେବ । ଚଳିତବର୍ଷ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଶେଷ ହୋଇଥିବା ବେଳେ ଅନୁରୂପ ଭାବେ ରଥଯାତ୍ରା ପାଳନ କରାଯିବ ।