FeaturedLatestNews

ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ

ବାରିପଦା(ସଂକେତ ଟିଭି): ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁଦେହ ଠାବ ହୋଇଛି। ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜ ଅଧିନରେ ଡୁଡୁରଚମ୍ପା ଅଞ୍ଚଳରୁ ଏହି ବାଘର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ନେଇ ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ ପ୍ରକାଶ ଚାନ୍ଦ ଗୋଗିନେନି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ରେଞ୍ଜର ଧୁଡୁରୁଚମ୍ପା ଅଞ୍ଚଳର ଜଂଗଲରେ ବାଘର ମୃତ ଦେହକୁ ବନ କର୍ମଚାରୀ ମାନେ ପେଟ୍ରୋଲିଂ ସମୟରେ ଗତ ୫ ତାରିଖ ଦିନ ଠାବ କରିଛନ୍ତି। ଏ ସମ୍ପର୍କରେ ବନବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦେବାରୁ ଘଟଣାସ୍ଥଳରେ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଅପରପକ୍ଷରେ, ମୃତଦେହ ଠାବ କରିବାର ଦୁଇ ଦିନ ପୂର୍ବରୁ ମହାବଳ ବାଘଟିର ମୃତ୍ୟୁ ଘଟିଥିବା ନେଇ ବନବିଭାଗ ସନ୍ଦେହ କରୁଛି । ତେବେ ମହାବଳ ବାଘଟିର ବୟସ ପାଖାପାଖି ସାଢ଼େ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଏହାସହ ବାଘଟିର ସ୍ବାଭାବିକ ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରୁଥିଲେ ସୁଦ୍ଧା ଅଧିକ ତଦନ୍ତ ଜାରି ରଖିଛି । ସେପଟେ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହାବଳ ବାଘଟିର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ହାଡ଼ ଓ ଭିସେରା ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି ।