FeaturedGeneralLatest

ବିନା ଡ୍ରାଇଭରରେ ୭୦ କିଲୋମିଟର ଚାଲିଲା ମାଲବାହୀ ଟ୍ରେନ୍‌

ନୂଆଦିଲ୍ଲୀ (ସଂକେତ ଟିଭି) ବିନା ଚାଳକରେ ଦୌଡ଼ିଲା ମାଲ୍‌ଗାଡ଼ି। ସେ ବି ପୁଣି ଘଣ୍ଟା ପ୍ରତି ୭୦ କିମି ବେଗରେ। ଏହି ଘଟଣା ରବିବାର ସକାଳ ୭ଟା ୨୫ରୁ ୯ଟା ମଧ୍ୟରେ ଘଟଛି। ଜମ୍ମୁର କାଠୁଆ ଷ୍ଟେସନ​‌ରେ ଠିଆ ହୋଇଥିବା ଏକ ମାଲ୍‌ଗାଡ଼ି ହଠାତ୍‌ ପଞ୍ଜାବର ପଠାନ୍‌କୋଟ୍‌ ଆଡ଼କୁ ଗଡ଼ିବାକୁ ଲାଗିଲା। ଆଶ୍ଚର୍ଯ୍ୟକର କଥା ହେଉଛି, ଗାଡ଼ିରେ କେହି ଚାଳକ ନଥିଲେ। ଟ୍ରେନଟି ୭୦ କିଲୋମିଟରରୁ ଅଧିକ ଦୂରତା ଯିବା ପରେ ​‌ଟ୍ରେନ​‌କୁ ହୋଶିଆରପୁରର ଉଁଚି ବସ୍‌ସି ନିକଟରେ ଅଟକା ଯାଇଥିଲା। ଉଁଚି ବସ୍‌ସିରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଟ୍ରେନକୁ ଅଟକାଯାଇଥିଲା, ଯାଦ୍ବାରା ଏକ ବଡ଼ ଅଘଟଣ ଟଳିଯାଇଛି। ରେଳ ବିଭାଗ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଜମ୍ମୁର କଠୁଆ ରେଳ ଷ୍ଟେସନରେ ଡ୍ରାଇଭର ପରିବର୍ତ୍ତନ ପାଇଁ ଟ୍ରେନ୍‌ ଅଟକିଥିଲା। ତେବେ ଟ୍ରେନ୍‌ଟି ଅଟକିବା ପରେ ଏହା ଜମ୍ମୁ-ଜଳନ୍ଧର ସେକ୍ସନରେ ଥିବା ଏକ ସ୍ଲୋପ ଗ୍ରାଡିଏଣ୍ଟ ଟ୍ରାକ୍‌କୁ ଖସିବା ଆରମ୍ଭ କରିଥିଲା ବୋଲି ପ୍ରାଥମିକ ସୂଚନାକୁ ଦର୍ଶାଇ ଉତ୍ତର ରେଳବାଇର ଜଣେ ମୁଖପାତ୍ର କହିଛନ୍ତି।

ସେହି ସମୟରେ ମାଲବାହୀ ଟ୍ରେନରେ ଉଭୟ ଡ୍ରାଇଭର ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ କେହି ହେଲେ ନଥିଲେ। ଟ୍ରେନଟି କାଠୁଆରୁ ହୋଶିଆରପୁରର ଉଁଚି ବସ୍‌ସି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୦ କିମି ବେଗରେ ଦୌଡ଼ିଥିଲା। ଏ ବିଷୟରେ ସୂଚନା ପାଇ ରେଳ ଅଧିକାରୀମାନେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଏହାକୁ ଅଟକାଇବାକୁ କଠୋର ଉଦ୍ୟମ କରିଥିଲେ। ତେବେ ବହୁ ସଂଘର୍ଷ ପରେ ଅଧିକାରୀମାନେ ଟ୍ରେନ୍‌କୁ ଅଟକାଇବାରେ ସଫଳ ହୋଇଥିଲେ।

ଅଧିକାରୀମାନେ ପ୍ରଥମେ ଏହାକୁ ପଠାନ୍‌କୋଟ୍‌ରେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସତର୍କତାମୂଳକ ପଦକ୍ଷେପ ଭାବରେ ପଠାନକୋଟ ରେଳ ଷ୍ଟେସନରେ ଲାଇନ୍ ଖାଲି କରାଯାଇଥିଲା। ଏହା ବ୍ୟତୀତ ପଠାନକୋଟକୁ ଯାଉଥିବା ସମସ୍ତ ଟ୍ରେନ୍ ଅଟକାଯାଇଥିଲା। ଏହାପରେ ମାଲଗାଡ଼ିକୁ ମୁକେରିୟାଁ ନିକଟରେ ମଧ୍ୟ ଅଟକାଇବାକୁ ଚେଷ୍ଟା କରାଯାଇଥିଲା, ହେଲେ କୌଣସି ସୁଫଳ ମିଳି ନଥିଲା। ଶେଷରେ ବହୁ ଉଦ୍ୟମ ପରେ ଉଁଚି ବସ୍‌ସି ନିକଟରେ ଟ୍ରେନ୍ ଅଟକିବା ପରେ ଅଧିକାରୀମାନେ ଦୀର୍ଘ ନିଃଶ୍ୱାସ ମାରିଥିଲେ।