EntertainmentFeaturedLatest

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ଭେଟେରାନ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ଦେହାନ୍ତ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୪୨ ଦିନ ନିଜ ଜୀବନ ସହିତ ସଂଘର୍ଷ କରି ଆଜି ଶେଷରେ ଆଖି ବୁଜିଛନ୍ତି ।

କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବାଦଶାହା । ବିଭିନ୍ନ ରିୟଲିଟି ସୋ’ରେ ତାଙ୍କ କମେଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିବା ରାଜୁ ହଠାତ ଏମିତି କନ୍ଦେଇ ଚାଲିଯିବେ କେହି ବିଶ୍ବାସ କରିପାରୁନାହାନ୍ତି ।

ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ ୧୦ରେ ହୃଦଘାତ ହୋଇଥିଲା । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ ୪୨ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା କି ତାଙ୍କ ଚେତା ଫେରୁନଥିଲା ।

କିଛି ଦିନ ତଳେ ତାଙ୍କୁ ହୋସକୁ ଆଣିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଡିଓ କ୍ଲିପ୍ ଶୁଣାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଆଖି ବି ଖୋଲିଥିଲେ । ବିଗ୍ ବିଙ୍କ ମୋଟିଭେସନାଲ୍ ସ୍ପିଚ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

୨୫ ଡିସେମ୍ବର ୧୯୬୩ରେ ଉତ୍ତରପ୍ରଦେଶ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ । ରାଜୁଙ୍କର ପୁରା ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ରାଜୁଙ୍କ ଦେହାନ୍ତ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହା ତାଙ୍କ ଫ୍ୟାଙ୍କୁ ବଡ଼ ଝଟକା ଦେଇଛି ।

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାଜୁଙ୍କ ସହ ନିଜର ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ରାଜୁ ଶ୍ରୀବାସ୍ତବ ହସ ଏବଂ ସକରାତ୍ମକତା ସହିତ ଆମ ଜୀବନକୁ ଆଲୋକିତ କରିଛନ୍ତି । ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲେ, କିନ୍ତୁ ସେ ବର୍ଷ ବର୍ଷ ଧରି ତାଙ୍କ କାର୍ଯ୍ୟ ମାଧ୍ୟମରେ ଅଗଣିତ ଲୋକଙ୍କ ହୃଦୟରେ ଜୀବିତ ରହିବେ । ତାଙ୍କ ମୃତ୍ୟୁ ଦୁଃଖଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍‌ ଶାନ୍ତି!

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ ବଡ ବ୍ୟକ୍ତିତ୍ୱ କମେଡି କିଙ୍ଗ କୁହାଯାଉଥିବା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ କୁମାର ବିଶ୍ବାସ ପର୍ଯ୍ୟନ୍ତ ରାଜନୀତି କ୍ଷେତ୍ରର ଅନେକ ଲୋକ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ବିୟୋଗକୁ କମେଡି ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ।