CulturalFeaturedLatest

ନୂଆଁଖାଇରେ ମା ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ୧୧।୦୯ : (ସଂକେତ ଟିଭି) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ନିମନ୍ତେ ସାଢ଼େ ୭କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରାୟ ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋକୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ସମ୍ବଲପୁର ଓ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଏହି ମା’ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି। ପଦ୍ମ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ମା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି,ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ), ସମ୍ବଲପୁର ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।