CulturalFeaturedLatest

ମକର ଓ ପୋଙ୍ଗଲରେ ବୁଡ ପକାଇବା ମନା, କଟକଣା ଜାରି କଲେ ରାଜ୍ଯ ସରକାର

ଭୁବନେଶ୍ବର, ୧୧/୦୧: (ସଂକେତ୍ ଟିଭି) ରାଜ୍ଯରେ ବଢିଚାଲିଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂକ୍ରାନ୍ତି ଓ ପୋଙ୍ଗଲରେ ଶ୍ରଦ୍ଧାଳୁମାନେ ସମୁଦ୍ର ତଟ, ନଦୀ, ପୁଷ୍କରିଣୀ ଆଦି ନିକଟରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ଏଥିପାଇଁ ନଦୀ କୂଳ, ପୋଖରୀ ଘାଟରେ ଏକାଠି ହେବାକୁ ବାରଣ କରାଯାଇଛି । ଜଳାଶୟରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ମକର ମେଳାର ଆୟୋଜନକୁ ବି ବାରଣ କରାଯାଇଛି। ଏଥିରେ ଅବହେଳା ବା ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପୌର କମିସନର ଓ କଟକ-ଭୁବନେଶ୍ବର ଟୁଇନସିଟି ପୁଲିସ କମିସନରଙ୍କୁ ସୂଚିତ କରାଯାଇଛି।