CulturalFeaturedLatest

ଅଜାନ୍‌ ସମୟରେ ବାଜି ପାରିବ ନାହିଁ ହନୁମାନ ଚାଳିଶା

ମୁମ୍ବାଇ ୧୮।୦୪ : (ସଂକେତ ଟିଭି) ଅଜାନ-ହନୁମାନ ଚାଳିସା ବିବାଦ ମଧ୍ୟରେ ମହାରାଷ୍ଟ୍ରର ନାଶିକ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଜାନ୍‌ ସମୟରେ ହନୁମାନ ଚଲିଶା ସହରରେ ବାଜିବାକୁ ଦିଆଯିବ ନାହିଁ । ନିର୍ଦ୍ଦେଶ ଅନୁସାରେ, ଆଜାନର ୧୫ ମିନିଟ୍ ପୂର୍ବରୁ ଓ ୧୫ ମିନିଟ୍‌ ପରେ ହନୁମାନ ଚାଳିଶା ବଜାଇ ହେବନି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାଶିକ ପ୍ରଶାସନ କହିଛି।

ନାଶିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ, ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ହନୁମାନ ଚାଳିସା କିମ୍ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ଅଜାନ ପୂର୍ବରୁ ଓ ପରେ ୧୫ ମିନିଟ ଭିତ​‌ରେ ଏହାର ଅନୁମତି ମିଳିବନି । ମସଜିଦ୍‌ର ୧୦୦ ମିଟର ପରିସରରେ ଏହାର ଅନୁମତି ଦିଆଯାଇ ନାହିଁ ।

ଏହି ନିର୍ଦ୍ଦେଶର ଉଦେଶ୍ୟ ହେଉଛି ଆଇନ ବ୍ୟବସ୍ଥାକୁ ବଜାୟ ରଖିବା । ଦୀପକ ପାଣ୍ଡେ ଆହୁରି କହିଛନ୍ତି ଯେ, ମଇ ୩ ତାରିଖ ଅର୍ଥାତ୍ ଇଦ୍ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସ୍ଥାନଗୁଡ଼ିକ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିବ । ଯଦି ମଇ ୩ ପରେ କେହି ବି ନିୟମ ଉଲ୍ଲଙ୍ଘନ କରୁଥିବା ନଜର ଆସିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଆଦେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନ ଶୃଙ୍ଖଳା ବଜାୟ ରଖିବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏକ ଅଲ୍ଟିମେଟମ ଦେଇଥିଲେ। ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାଯିବ କିମ୍ବା ନଚେତ୍‌ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ଉଚ୍ଚସ୍ବରରେ ପାଟ କରାଯିବ। ଯାହା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।