FeaturedLatestNews

ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା, ‘ମୌସୁମୀ’ ଆକଳନ କଲା ଆଇଏମଡି

ନୂଆଦିଲ୍ଲୀ (ସଂକେତ ଟିଭି) : ଭାରତରେ ଏବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବ ଏବଂ ଦୀର୍ଘକାଳୀନ ହାରାହାରି (୮୭ ସେମି)ର ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି।

ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଯେ ଉତ୍ତର-ପଶ୍ଚିମ, ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତରେ ଭଲ ମୌସୁମୀ ବର୍ଷା କରାଉଥିବା ‘ଲା ନିନା ‘ସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ଅର୍ଥ ଭଲ ବର୍ଷା ହେବ। ବିଶେଷ କରି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହୋଇପାରେ। ୧୯୫୧ରୁ ୨୦୨୩ ମଧ୍ୟରେ ମୌସୁମୀ ଉପରେ ୨୨ ଥର ଲା ନିନାର ପ୍ରଭାବ ପଡ଼ିଛି। ଏଥିଯୋଗୁ ଯୋଗୁ ଦେଶରେ ୯ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ସେହିପରି କେବଳ ୧୯୭୪ ଓ ୨୦୦୦ ମସିହାକୁ ଛାଡ଼ି ଦେଲେ ବାକି ସବୁଥର ଲା ନିନା ଯୋଗୁ ସ୍ୱାଭାବିକ ବର୍ଷା ହୋଇଥିଲା। କେବଳ ୧୯୪୭ ଓ ୨୦୦୦ ମସିହାରେ ଲା ନିନା ସତ୍ତ୍ୱେ ସ୍ୱାଭାବି ଠାରୁ କମ ବର୍ଷା ରେକର୍ଡ କରାଯାଇଥିଲା।

ତେବେ ମୌସୁମୀ କେବେ ପ୍ରବେଶ କରିବ ଓ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେକଥା ଆଇଏମଡି ଏବେ କହି ନାହିଁ। ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଇଏମଡି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ସାଧାରଣତଃ ଜୁନ୍ ପହିଲାବେଳକୁ କେରଳ ସ୍ପର୍ଷକରୁଥିବା ଓ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତ୍ୟାବର୍ତ୍ତନ କରୁଥିବା ମୌସୁମୀ ଚଳିତ ବର୍ଷ ଦୀର୍ଘ ମିଆଦୀ ହାରାହାରି ୧୦୬% ରହିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍ ରବିଚନ୍ଦ୍ରନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

କିନ୍ତୁ ଓଡ଼ିଶା ପାଇଁ ସ୍ଥିତି ସେତେଟା ଆଶାଜନକ ନଥିବା ଆଇଏମଡି ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ହାରାହାରିଠାରୁ କମ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ଅର୍ଥାତ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ରହିଛି । ଏହା ଫଳରେ ଓଡ଼ିଶାର ଚାଷୀମାନଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହେବାର ଆଶଙ୍କା ରହିଛି ।