CulturalLatest

ଦୁବାଇରେ ନିର୍ମାଣ ହେବ ଜହ୍ନ ଭଳି ହୋଟେଲ

ଦୁବାଇ : (ସଂକେତ୍ ଟିଭି) ଉପସାଗରୀୟ ଦେଶରେ ଏକ ଏପରି ସହର ଅଛି ଜିଏ ନିଜର ନୂଆନୂଆ କର୍ତ୍ତୃତ୍ୱରେ ଦୁନିଆକୁ ଆଶ୍ଚର୍ଯ୍ୟ ଚକିତ କରିଆସୁଛି । ଏଠାରେ ଆମେ ଦୁବାଇ ସହରର କଥା କହୁଛୁ । ଯିଏ ନିଜର ସ୍ଥାପତ୍ୟ ଓ ଭବ୍ୟ ନିର୍ମାଣ ଲାଗି ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଥିବା ବୁର୍ଜ ଅଲ-ଖଲିଫା ସମ୍ପର୍କରେ ଦୁନିଆରେ ଏପରି କେହି ନଥିବେ ଜିଏ ଜାଣିନଥିବ । ମରୁଭୂମିରେ ଛିଡା ହୋଇଥିବା ଏହା ବିଶ୍ୱର ସବୁଠୁ ଉଚ୍ଚତମ ଅଟ୍ଟାଳିକା । ଭୁର୍ଜ ଖଲିଫାର ଉଚ୍ଚତା ଦେଖି ଲୋକେ ଏବେବି ତାଜ୍ଜୁବ ହୋଇ ଯାଉଛନ୍ତି । ଏବେ ସେହି ଦୁବାଇ ପୁଣି ବିଶ୍ୱକୁ ଚମତ୍କୃତ କରିବାକୁ ଯାଉଛି । କାରଣ ନିଜ ମାଟିକୁ ସେ ଜହ୍ନ ଓହ୍ଲାଇ ଆଣିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଦୁବାଇ ଏବେ ନିଜର ଜହ୍ନ ନିର୍ମାଣ କରିବାକୁ ଯାଉଛି । ଯାହା ଚନ୍ଦ୍ରମା ଆକାରର ଏକ ରିସୋର୍ଟ ହେବ । ଜହ୍ନ ଭଳି ରିସୋର୍ଟର ଡିଜାଇନ କାନାଡା କମ୍ପାନୀ ମୁନ୍ ୱାର୍ଲଡ ରିଜୋର୍ଟ ଇଂକ କରୁଛନ୍ତି । ଏହି ଜହ୍ନର ଆକାର ୭୩୫ ଫୁଟର ହେବ । ତେବେ ଏଠାରେ ଦେଖିବାର କଥା ହେଲା ଏହି ଜହ୍ନ ନିର୍ମାଣ କରିବାକୁ ୫ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୪୦ ହଜାର କୋଟି ଟଙ୍କା ବ୍ୟୟ ହେବ । ଏହାଛଡା ଏହି ବିଶାଳ ଜହ୍ନ ତିଆରି ପାଇଁ ୪୮ ମାସ ସମୟ ଲାଗିବ । ଅର୍ଥାତ ଏହା ଲୋକଙ୍କ ଲାଗି ୪ ବର୍ଷରେ ତିଆରି ହୋଇଯିବ । ଦୁବାଇରେ ପୂର୍ବରୁ ଅନେକ ବିଳାଶମୟ ଟୁରିଷ୍ଟ ପ୍ଲେସ୍ ରହିଛି । ଯେଉଁଥିରେ ଦୁବାଇ ମଲ ଓ ଆଟଲାଣ୍ଟିସ୍ ପାମ ଜୁମାରେହ ମଧ୍ୟ ଅଛି ।

ଏହି ଲଗଜରୀ ହୋଟେଲ ଓ ମଲ ସୂଚୀରେ ଏବେ ଜହ୍ନ ବି ଯୋଡି ହୋଇଯିବ । ଏହି ଜହ୍ନ ତିଆରି ହୋଇଗଲେ ଏଠାକୁ ବାର୍ଷିକ ୨୫ ଲକ୍ଷ ଲୋକେ ବୁଲିବାକୁ ଆସିବେ ବୋଲି ଏକ ଆକଳନ କରାଯାଇଛି । ଦୁବାଇରେ ଜହ୍ନ ଥିମର ଏହି ହୋଟେଲ ସହରର ଅର୍ଥ ବ୍ୟବସ୍ଥାକୁ ନୂଆ ଜୀବନ ଦେବ ବୋଲି ମୁନୱାର୍ଲଡ ରିସର୍ଟ ଇଂକର ସହ ସଂସ୍ଥାପକ ମାଇକେଲ ଆର.ହେଣ୍ଡରସନ କହିଛନ୍ତି । ଏଥିରେ ହସ୍ପିଟାଲିଟି, ଏଣ୍ଟରଟେରନମେଣ୍ଟ, ଏଜୁକେସନ, ଟେକ୍ନୋଲଜି ଓ ସ୍ପେସ୍ ଟୁରିଜିମ ଭଳି କ୍ଷେତ୍ରକୁ ଅଭିବୃଦ୍ଧି ମିଳିବ ବୋଲି ସେ କହିଛନ୍ତି ।