CulturalLatest

ବିଶ୍ୱର ସବୁଠାରୁ ଦାମୀ ପରିବା ‘ହପ୍‌ସୁଟ୍‌ସ’

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦୈନନ୍ଦିନ ଜୀବନରେ ପରିବା କିଲୋ ପିଛା କେତେ ଟଙ୍କା ଦେଇ କିଣୁଥିବେ! ୫୦, ୧୦୦, ୨୦୦ ନହେଲେ ଅତି ବେଶୀରେ ୫୦୦ । ହେଲେ ଏମିତି ବି ଏକ ପରିବାର ଅଛି ଯାହାର ଦର କିଲୋ ପିଛା ୮୫,୦୦୦ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଏହି ପରିବାର ନାମ ‘ହପ୍‌ସୁଟ୍‌ସ’ । ଏହା ହେଉଛି ୟୁରୋପୀୟ ଦେଶରେ ମିଳୁଥିବା ଏକ ଅତ୍ୟନ୍ତ ଦାମୀ ପରିବା । ଏଥିରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ଦାମ ଖୁବ୍ ଅଧିକ । ଏହି ପରିବା ଭାରତରେ ଚାଷ ହୁଏ ନାହିଁ ।

ମାତ୍ର ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ଯେ ଏହାକୁ ପ୍ରଥମ ଥର ପାଇଁ ହିମାଚଳପ୍ରଦେଶରେ ଚାଷ କରାଯାଇଛି । ଏହାକୁ ଚାଷ କରିବା ଖୁବ୍ କଠିନ କାର୍ଯ୍ୟ ହୋଇଥିବାରୁ ଏହାର ଦର ଏପରି ଅଧିକ । ଏହାକୁ ଚାଷ କରିବାକୁ ପ୍ରାୟ ୩ ବର୍ଷ ସମୟ ଲାଗିଥାଏ । ଏହା ବିଭିନ୍ନ ପ୍ରକାରର ଫଳିଥାଏ । ସବୁ ପ୍ରକାରର ଗୁଣବତ୍ତା ଭିନ୍ନ । ଏହା କେବଳ ଯେ ଦାମୀ ତାହା ନୁହେଁ, ଏହା ସହଜରେ ବଜାରରେ ବି ଉପଲବ୍ଧ ହୋଇନଥାଏ । ଏହା ହେଉଛି ବିଶ୍ୱର ସବୁଠାରୁ ଦାମୀ ପରିବା । ଏହା ଏତେ ଦାମୀ ଯେ ଏହି ଦରରେ ବାଇକ୍‌, ସୁନା କିମ୍ବା ହୀରାର ଅଳଙ୍କାର ବି ହୋଇପାରେ । ଏହି ପରିବାଟି ମୁଖ୍ୟତଃ ୟୁରୋପ ଏବଂ ନର୍ଥ ଆମେରିକାରେ ଦେଖିବାକୁ ମିଳିଥାଏ । ଏହାର ଗଛ ପ୍ରାୟ ୬ ମିଟର ପର୍ଯ୍ୟନ୍ତ ବଢ଼ିଥିବା ବେଳେ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାଏ ।