FeaturedLatest

ସଞ୍ଚୟ ଯୋଜନା ଉପରେ ବଢିଲା ସୁଧହାର

ନୂଆଦିଲ୍ଲୀ :(ସଂକେତ ଟିଭି) ଶନିବାର ଦେଶରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଇଛି । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଦେଶର ଅଗଣିତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ସୁକନ୍ୟ ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି ନ୍ୟାସନାଲ ସେଭିଂସ୍‌ ସାର୍ଟିଫିକେଟ, କିସାନ ବିକାଶ ପତ୍ର, ଡାକଘର ସଞ୍ଚୟ ଯୋଜନା ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଉପରେ ସୁଧହାର ବୃଦ୍ଧି କରିଛନ୍ତି । ଆର୍ଥିକ ବର୍ଷ ୨୦୨୩-୨୪ ର ପ୍ରଥମ ତ୍ରୈମାସିକ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ସବୁ ସଞ୍ଚୟ ଯୋଜନାରେ ୧୦ ରୁ ୭୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି । ହେଲେ ପିପିଏଫ ଉପରେ ସୁଧହାରର କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଅର୍ଥମନ୍ତ୍ରଣାଳୟ ଜାରି କରିଥିବା ସୁଧହାର ମୁତାବକ ସେଭିଙ୍ଗସ୍‌ ଡିପୋଜିଟ ଉପରେ ୪ ପ୍ରତିଶତ, ୧ବର୍ଷ ପାଇଁ ଡିପୋଜିଟ୍‌ କରୁଥିଲେ ୬.୮୦ ପ୍ରତିଶତ, ୨ବର୍ଷ ପାଇଁ ଡିପୋଜିଟ୍‌ କଲେ ୬.୯୦ ପ୍ରତିଶତ, ୩ବର୍ଷ ପାଇଁ ଡିପୋଜିଟ୍‌ କଲେ ୭ ପ୍ରତିଶତ, ୫ବର୍ଷ ପାଇଁ ଡିପୋଜିଟ୍‌ କଲେ ୭.୫୦ପ୍ରତିଶତ ସୁଧହାର ମିଳିବ । ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ ୮.୨୦ ପ୍ରତିଶତ ସୁଧହାର ରଖାଯାଇଛି ।

ସେହିଭଳି ପେନସନ୍‌ ଯୋଜନାରେ ଡିପୋଜିଟ୍‌ କଲେ ୭.୪୦ ପ୍ରତିଶତ, ନ୍ୟାସନାଲ ସେଭିଙ୍ଗସ୍‌ ସାର୍ଟିଫିକେଟରେ ଡିପୋଜିଟ୍‌ କଲେ ୭.୭୦ ପ୍ରତିଶତ, କିସାନ ବିକାଶ ପତ୍ରରେ ଡିପୋଜିଟ୍‌ କଲେ ୭.୫ପ୍ରତିଶତ (୧୧୫ମାସ ପାଇଁ), ସୁକନ୍ୟା ସମୃଦ୍ଧି ଯୋଜନାରେ ସଂଚୟ କରୁଥିଲେ ୮ ପ୍ରତିଶତ ସୁଧହାର ମିଳିବ ।