CulturalFeatured

କରୋନାରେ ବର୍ଷିଆନ୍‌ ହାସ୍ୟ କଳାକାର ଜଗବନ୍ଧୁ ରାଉତଙ୍କ ଦେହାନ୍ତ

ଭୂବନେଶ୍ବର ୨୭/୪: (ସଂକେତ୍ ଟିଭି) କରୋନାରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯାତ୍ରା ଜଗତର ବର୍ଷିଆନ୍‌ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ା । ସେ କୋରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ସ୍ଥିତ କାଳିଆ ପଦର ବିଶିଷ୍ଠ ଯାତ୍ରା କଳାକାର ହାସ୍ୟ ଅଭିନେତା ଜଗା ରାଉତ ସାତସଙ୍ଖ, କୋଣାର୍କ, କଳିଙ୍ଗ ଗଣନାଟ୍ୟରେ କାମ କରିଥିଲେ । ଦୀର୍ଘ ୬୨ ବର୍ଷ ସେ ଯାତ୍ରା ଜଗତ ସହିତ ଜଡିତ ଥିଲେ । ତାଙ୍କ ଯାଦୁଗରି ଅଭିନୟରେ ସେ ଦର୍ଶକମାନଙ୍କୁ ହସିହସି ବେଦମ କରାନ୍ତି । ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନକହିଲେ କୂଳ ଭାସି ଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡ଼ାରୁ ଭଳି ବହୁ ଯାତ୍ରା କରି ସେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ । ୧୦ ବର୍ଷ ଛୋଟ ମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ । ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ରହିବା ପରେ ସମ୍ପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ ।

କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ପ୍ରଥମେ ୨୨ ତାରିଖରେ ପୁରୀ କରୋନା ହସ୍ପିଟାଲ ଓ ପରେ ୨୫ ତାରିଖ ଦିନ ଭୁବନେଶ୍ୱର ନିଆ ଯାଇଥିଲା । ଆଜି ସେ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ପରପାରିକୁ ଚାଲିଯାଇଛନ୍ତି । ଜଗାଙ୍କ ଅବର୍ତ୍ତମାନରେ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି । ଜଗବନ୍ଧୁ ରାଉତଙ୍କ ବିୟୋଗ ଯାତ୍ରା ଜଗତ ପ୍ରତି ଅପୂରଣୀୟ କ୍ଷତି ପହଞ୍ଚାଇଛି ।