CulturalFeaturedLatest

କାହିଁକି ଚାଲି ପାରନ୍ତିନି ମହାକାଶଚାରୀ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ମହାକାଶଚାରୀମାନେ ମହାକାଶରେ ଅନେକ ଦିନ ବିତାଇ ପୃଥିବୀକୁ ଫେରିବା ପରେ ସେମାନଙ୍କୁ ଚାଲିବାରେ ବହୁତ ଅସୁବିଧା ହୁଏ । କେତେକ କ୍ଷେତ୍ରରେ ଦେଖାଯାଏ ଯେ, ସେମାନେ ଚାଲିବା ଭୁଲି ଯାଇଛନ୍ତି । କେବଳ ଚାଲିବା ନୁହେଁ ପୃଥିବୀକୁ ଫେରିବା ପରେ ମହାକାଶଚାରୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯେପରି କାଶ ହେବା, ମୁଣ୍ଡ ବୁଲାଇବା, ବାନ୍ତି ହେବା ଓ ଦୁର୍ବଳ ଲାଗିବା । ଏହାର ସଠିକ୍‌ କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଏହା ଉପରେ ଗଭୀର ଅଧ୍ୟୟନ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ।

ଏହି ଅଧ୍ୟୟନରେ, ସେମାନେ କିଛି ବିଶେଷ କାରଣ ପାଇଛନ୍ତି, ଯେଉଁଥିପାଇଁ ମହାକାଶଚାରୀମାନେ ପୃଥିବୀକୁ ଫେରିବା ପରେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ବାସ୍ତବରେ ମହାକାଶରେ ମାଧ୍ୟାକର୍ଷଣର ଅଭାବ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପାଶ୍ୱର୍ ପ୍ରତିକ୍ରିୟା କରିଥାଏ । ବିଶେଷ କରି ଏହାର ଗଭିର ପ୍ରଭାବ ହାଡ଼ ଏବଂ ମାଂସପେଶୀ ଉପରେ ପଡ଼ିଥାଏ । ଯେତେବେଳେ ମହାକାଶଚାରୀମାନେ ପୃଥିବୀକୁ ଫେରନ୍ତି, ସାଧାରଣତଃ ଦେଖାଯାଏ ଯେ, ସେମାନେ ଚାଲିପାରନ୍ତି ନାହିଁ । ସେମାନଙ୍କୁ ଷ୍ଟ୍ରେଚରରେ କିମ୍ବା ହ୍ୱିଲ୍‌ ଚେୟାରରେ ଅଣାଯାଇଥାଏ ।

ମହାକାଶରେ ମାଇକ୍ରୋ-ମାଧ୍ୟାକର୍ଷଣର ବାତାବରଣ ରହିଥାଏ । ଅର୍ଥାତ୍‌ ସେଠାରେ ମହାକାଶଚାରୀମାନେ ପୃଥିବୀ ତୁଳନାରେ ୮୯ % କମ୍‌ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରନ୍ତି । ଏହି କାରଣରୁ ସେମାନେ ମହାକାଶରେ ସର୍ବଦା ଭାସମାନ ଅବସ୍ଥାରେ ଉଡ଼ିଥାନ୍ତି । ସେମାନଙ୍କର ମାଂସପେଶୀ ଏବଂ ହାଡ଼ଗୁଡିକ ଚଳପ୍ରଚଳ ହୁଏ ନାହିଁ । ଏହି ଅବସ୍ଥାରେ, ସମୟ ସହିତ ମହାକାଶଚାରୀମାନେ ମାଂସପେଶୀ ଏବଂ ହାଡ଼ର ଶକ୍ତି ହରାଇବା ଆରମ୍ଭ କରନ୍ତି । ଫଳରେ ହାତ, ଗୋଡ଼ ଏବଂ ମେରୁଦଣ୍ଡର ହାଡ ଦୁର୍ବଳ ହୋଇଯାଏ । କ୍ୟାଲସିୟମର ଅଭାବ ସେମାନଙ୍କୁ ଅଧିକ ଲାଗିରୁହେ । ଏହି କାରଣରୁ ସେମାନେ ପୃଥିବୀକୁ ଆସିବା ପରେ ଚାଲି ପାରନ୍ତି ନାହିଁ । କିଛି ଦିନର ବିଶ୍ରାମ ଓ ଔଷଧ ସେବନ ପରେ ସେମାନେ ପୁଣି ଚାଲିବା ଆରମ୍ଭ କରିଥାନ୍ତି ।