EntertainmentFeaturedLatest

ଅଭିନେତ୍ରୀ ୱାହିଦା ରେହମାନ୍ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଏହି ଘୋଷଣା କରିଛନ୍ତି। ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ନିମିତ୍ତ ୱାହିଦାଙ୍କୁ ଏହି ପୁରସ୍କାର ଦିଆଯିବ ।

ୱାହିଦା ପୂର୍ବରୁ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପରି ଶୀର୍ଷ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି। ଅନୁରାଗ ଠାକୁର ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ୱାହିଦା ରେହମାନଜୀଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ଚଳିତବର୍ଷ ସମ୍ମାନଜନକ ଦାଦା ସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଥିବା ଘୋଷଣା କରି ମୁଁ ଖୁସି ଏବଂ ସମ୍ମାନିତ ଅନୁଭବ କରୁଛି। ୱାହିଦାଜୀ ‘ଗାଇଡ୍’, ‘ପ୍ୟାସା’, ‘କାଗାଜ୍ କେ ଫୁଲ’ ଏବଂ ‘ଚୌଦ୍‌ଭି କା ଚାନ୍ଦ’ ଭଳି କାଳଜୟୀ ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ପ୍ରଶଂସିତ ହୋଇଥିଲେ।’’

‘‘ ଦୀର୍ଘ ୫ ଦଶନ୍ଧି ଧରି ପରିବ୍ୟାପ୍ତ ତାଙ୍କ କ୍ୟାରିଅରରେ ସେ ନିଜ ଭୂମିକାକୁ ଅତି ନିଖୁଣ ଭାବେ ନିଭାଇଛନ୍ତି। ‘ରେଶମା ଓ ଶେରା’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଜଣେ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ସିନେ-ବ୍ୟକ୍ତିତ୍ବ ୱାହିଦାଜୀ ଭାରତୀୟ ନାରୀଙ୍କ ଉତ୍ସର୍ଗୀକୃତତା, ପ୍ରତିବଦ୍ଧତା ଏବଂ ଶକ୍ତିର ଉଦାହରଣ ଦେଇଛନ୍ତି।’’