FeaturedLatestSports

ଏସିଆନ ଗେମ୍ସ: ପୁରୁଷ ଏୟାର୍‌ ପିସ୍ତଲ୍‌ ଟିମ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିଣିଲା ଭାରତ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଆଜି ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ ଟିମ୍‌ ପ୍ରତିଯୋଗିତାରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହାକୁ ମିଶାଇ ଏଥରର ଏସୀୟ କ୍ରୀଡ଼ାରେ ଭାରତ ସମୁଦାୟ ୬ଟି ସ୍ବର୍ଣ୍ଣ ପଦକ ବିଜୟୀ ହେଲାଣି।

ସୂଚନା ଅନୁସାରେ, ୩ ଭାରତୀୟ ଖେଳାଳି ସରବଜୋତ୍‌ ସିଂହ, ଶିବ ନର୍‌ୱାଲ୍‌ ଓ ଅର୍ଜୁନ ସିଂହ ଚୀମା ‘ପୁରୁଷ ୧୦ ମିଟର୍‌ ପିସ୍ତଲ୍‌ ଟିମ୍‌’ ପ୍ରତିଯୋଗିତାରେ ସମୁଦାୟ ୧୭୩୪ ପଏଣ୍ଟ୍‌ ସ୍କୋର୍‌ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମାତ୍ର ଗୋଟିଏ ପଏଣ୍ଟ୍‌ରେ ଚୀନ୍‌କୁ ପଛରେ ପକାଇ ଭାରତୀୟ ଟିମ୍‌ ଏହି ସ୍ବର୍ଣ୍ଣ ପଦକ ଜଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥାତ୍‌ ୧୭୩୩ ପଏଣ୍ଟ୍‌ ସ୍କୋର୍‌ କରି ଚୀନ୍‌ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି। ପ୍ରାରମ୍ଭରୁ ଉତ୍ତମ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବା ଭିଏତ୍‌ନାମ୍‌ ଏହି ପ୍ରତିଯୋଗିତାରେ ସମୁଦାୟ ୧୭୩୦ ପଏଣ୍ଟ୍‌ ସ୍କୋର୍‌ କରି ତୃତୀୟ ସ୍ଥାନରେ ରହିବାରୁ କାଂସ୍ୟ ପଦକ ବିଜୟୀ ହୋଇଛି। ୧୯ତମ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୪ଶ ପଦକ ଓ ବନ୍ଧୁକ ଚାଳନାରେ ୪ର୍ଥ ସ୍ବର୍ଣ୍ଣପଦକ।

ଏହି ପ୍ରତିଯୋଗିତାର ବ୍ୟକ୍ତିଗତ ଯୋଗ୍ୟତା ଇଭେଣ୍ଟ୍‌ରେ ୫୮୦ ପଏଣ୍ଟ୍‌ ସ୍କୋର୍‌ କରିଥିବା ସରବ‌ଜୋତ୍‌ ୫ମ ଓ ୫୭୮ ପଏଣ୍ଟ୍‌ ସ୍କୋର୍‌ କରିଥିବା ଅର୍ଜୁନ ୮ମ ସ୍ଥାନରେ ରହିଛନ୍ତି। ଆଜି ହେବାକୁ ଥିବା ‘ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌’ ଫାଇନାଲ୍‌ରେ ଭାଗ ନେବା ପାଇଁ ଦୁହେଁ ମନୋନୀତ ହୋଇଛନ୍ତି।