FeaturedGeneralLatestPolitics

ଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ (ସଂକେତ ଟିଭି): ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବାଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏହା ସେୟାର କରି ମୁଁ ଅତ୍ୟନ୍ତ ଖୁସି । ଏନେଇ ମୁଁ ଆଡଭାନୀଙ୍କ ସହିତ ବାର୍ତ୍ତାଳପ କରି ତାଙ୍କୁ ଅଭିନନ୍ଦନ ଜଣାଇଛି । ଆମ ସମୟରେ ସେ ଜଣେ ସମ୍ମାନିତ ନେତା । ଦେଶର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ । ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରି ଉପ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଛନ୍ତି । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ରହିଛି।

ମୋଦି ଆହୁରି ମଧ୍ୟ କହିଛନ୍ତି, ସେ ତାଙ୍କର ଜୀବନକାଳରେ ଦୀର୍ଘ ଦଶନ୍ଧି ଧରି ସେବା, ସ୍ବଚ୍ଛତା ଏବଂ ଅଖଣ୍ଡତା ପାଇଁ ତାଙ୍କର ପ୍ରତିବଦ୍ଧତା ରହିଛି । ଏହା ଯୋଗୁଁ ରାଜନୈତିକ କ୍ଷେତ୍ରରେ ତାଙ୍କର ଆଦର୍ଶ ମାନ୍ୟତା ରହିଛି । ଜାତୀୟ ଏକତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଭାରତରତ୍ନ ପାଇଁ ତାଙ୍କ ନାମ ସୁପାରିସ କରିବା ମୋ ପାଇଁ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଏହାକୁ ସୌଭାଗ୍ୟ ବୋଲି ମନେ କରିବି । ତାଙ୍କ ଠାରୁ ଅନେକ କିଛି ଶିଖିବାର ମୁଁ ସୁଯୋଗ ପାଇଛି ।

ସେପଟେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବା ନେଇ ଲାଲ କୃଷ୍ଣ ଆଡଭାନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ତାଙ୍କୁ ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେ କହିଛନ୍ତି ଯେ ଏହା କେବଳ ଜଣେ ବ୍ୟକ୍ତି ଭାବରେ ନୁହେଁ ବରଂ ସେ ଅନୁସରଣ କରିବାକୁ ଚେଷ୍ଟା କରିଥିବା ଆଦର୍ଶ ଏବଂ ନୀତି ପାଇଁ ମଧ୍ୟ ଏହା ଏକ ପୁରସ୍କାର | ‘ଆରଏସଏସରେ ଯୋଗଦେବା ପରେ, ଜୀବନରେ ଯାହା ବି ଦାୟିତ୍ଵ ପାଇଥିଲି, ମୁଁ କେବଳ ମୋର ପ୍ରିୟ ଦେଶକୁ ଉତ୍ସର୍ଗୀକୃତ କରି ନିସ୍ୱାର୍ଥପର ଭାବରେ ସେବା କରି ଖୁସି ପାଇଥିଲି । ମୋତେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ।