FeaturedLatestNews

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର (ସଂକେତ ଟିଭି) : ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଗତକାଲି(ଶନିବାର) ବିଳମ୍ବିତ ରାତିରେ ଉମରକୋଟର ଦର୍ଗାଗୁଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ତେବେ ସାଂସଦ ରମେଶ ମାଝୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହାପରେ ସେ ଘରକୁ ଫେରିଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ସାଂସଦ ରମେଶ ମାଝୀ ଗତକାଲି ଦିଲ୍ଲୀରୁ ଅଧିବେଶନ ସାରି ବିମାନରେ ଛତିଶଗଡ଼ରେ ପହଞ୍ଚିଥିଲେ । ସେଠାରୁ କାର୍ ଯୋଗେ ନିଜ ଉମରକୋଟ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବାଟରେ ତାଙ୍କ ଗାଡ଼ିର ଚକା ଫାଟି ଯାଇଥିଲା । ଫଳରେ ଗାଡି ଭାରସାମ୍ୟ ହରାଇ ଏକ ଖାତ ଭିତରକୁ ପଶିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ସାଂସଦଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କ ସହିତ ଥିବା ଅନ୍ୟ ତିନି ଜଣ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସାଂସଦ ରମେଶ ମାଝୀଙ୍କୁ ଉପରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସାଂସଦଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗି ଥିବାବେଳେ ପ୍ରାଥମିକ ଚିକିତ୍ସା କରିଥିଲେ ଡାକ୍ତର । ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି ।