FeaturedLatestNewsPolitics

ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ, ବିଜେଡି କଲା ସମର୍ଥନ

ଭୁବନେଶ୍ୱର (ସଂକେତ ଟିଭି) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପି ଆଜି ତାଙ୍କ ନାମ ଘୋଷଣ କରିଛି । ତେବେ ତାଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିଛି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ । ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ସେପଟେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କ ପ୍ରତିକ୍ରିୟାରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ କର୍ମୀ । ମୋ ସାର୍ବଜନିକ ଜୀବନର ନିଷ୍ପତ୍ତି ଦଳ ନିଏ । ମୋତେ ଜନସାଧାରଣଙ୍କ ସେବା ପାଇଁ ପ୍ରଧାନମନ୍ତ୍ରୀ ଆଉ ଥରେ ସୁଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମହାପ୍ରଭୁ ଜଗନ୍ନାଥଙ୍କୁ ଆର୍ଶୀବାଦ ଭିକ୍ଷା କରୁଛି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବୁଧବାର ସେ ରେଳବାଇ ଓ ବିଏସଏନଏଲ୍‌ ପ୍ରକଳ୍ପର ସମୀକ୍ଷା କରିବେ । ରାତିରେ ରେଳବାଇ ଗେଷ୍ଟ ହାଉସରେ ରାତ୍ରୀଯାପନ କରିବେ । ଗୁରୁବାର ସନ୍ଧ୍ୟା ୬ଟା ୪୦ ମିନିଟ୍‌ରେ ସେ ଭୁବନେଶ୍ୱର ଛାଡ଼ିବେ । ଗୁରୁବାର ଦିନ ସେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଛି ।

ରାଜ୍ୟ ସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ପିସିସି ପ୍ରଭାରୀ ଅଜୟ କୁମାର ସୋସିଆଲ ମିଡିଆରେ କଟାକ୍ଷ କରିଥିବା ବେଳେ ଖବରଦାତା ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ବର୍ଷିଛନ୍ତି ।

ପିସିସି ପ୍ରଭାରୀ ଅଜୟ କୁମାର ଟୁଇଟ୍‌ କରି ଲେଖିଛନ୍ତି, ଭାଜପାକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି। ଉଭୟଙ୍କ ବୈବାହିକ ମେଣ୍ଟ ଅତି ଚତୁରତାର ସହିତ ଆଗକୁ ବଢି ଚାଲିଛି। ଏବେ ଓଡ଼ିଶାବାସୀ ଜାଣୁଛନ୍ତି ବଡ଼ ବଡ଼ ଦୁର୍ନୀତି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ- ଇଡି ରେଡ କରୁ ନାହାନ୍ତି।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ସହ ଭାଜପା ଗୁପ୍ତ ସମ୍ପର୍କ ରଖିଛନ୍ତି। ବିଜେଡି ଓ ବିଜେଡି ମଧ୍ୟରେ ଲିଭ୍‌ ଇନ ରିଲେସନସିପ୍‌ରେ ରହିଛନ୍ତି ବୋଲି ପ୍ରମାଣିତ ହୋଇଗଲା।