FeaturedLatestNews

ଶେରଗଡ଼କୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ବ୍ରହ୍ମପୁର (ସଂକେତ ଟିଭି) ଗଞ୍ଜାମ ଜିଲ୍ଲା ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହା ସହିତ ସେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ ବିକାଶମୂଳକ ପ୍ରକ୍ରିୟା। ଏହି ପ୍ରୟାସରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ନୂଆ ରୂପ ନେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି। ସେହିପରି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହିଂଜିଳି ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତରଣ କାମ ସରିଛି। ଏହି ସବୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ନିଜେ ଭାଗ ନେଇଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଲୋକଙ୍କ ସହଯୋଗରେ ହିଂଜିଳି ଶେରଗଡ଼ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ହୋଇପାରିଛି। ବିକାଶ କ୍ଷେତ୍ରରେ ହିଂଜିଳି ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ଭାବରେ ଉଜ୍ଜଳ ପରିଚୟ ସୃଷ୍ଟି କରିଛି। ହିଂଜିଳି ଶେରଗଡ଼ର ସବୁ ଘରକୁ ପାଇପ ପାଇଁ ଓ ସବୁ ଚାଷ ଜମିକୁ ଜଳସେଚନ ଲାଗି ବ୍ୟବସ୍ଥା କରାଯାଉଛି। ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲ ରୂପାନ୍ତରଣ କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।