FeaturedLatestNews

୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି । ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ।

ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ ମୁଖ୍ଯମନ୍ତ୍ରୀ। ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ଯୋଗାଯୋଗ ହେଉଛି ବିକାଶର ଆଧାର । ଅର୍ଥନୀତିର ମୁଖ୍ଯ ଶକ୍ତି । ଗାଁଠାରୁ ସହର ସବୁଠି ଯୋଗାଯୋଗକୁ ଉନ୍ନତ କରିବାକୁ ରାଜ୍ଯ ସରକାର ଗୁରୁତ୍ବ ଦେଉଛନ୍ତି । ଫାଇଭ-ଟି ଉପକ୍ରମରେ ଯୋଗାଯୋଗ ଓ ପରିବହନ ବ୍ଯବସ୍ଥା ସୃଦୃଢ ହୋଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଗଡ଼ୁଥିବାବେଳେ ଭୁବନେଶ୍ବରରେ ମେଟ୍ରୋ କାର୍ଯ୍ଯ ଆରମ୍ଭ ହୋଇଛି।

ଆହୁରି ମଧ୍ୟ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ନୂତନ ବସଷ୍ଟାଣ୍ଡ ଦ୍ବାରା ଚାଷୀ, ଛାତ୍ରଛାତ୍ରୀ ଆଦି ସମସ୍ତ ବର୍ଗ ଉପକୃତ ହେବେ। ଯୋଗାଯୋଗରେ ଉନ୍ନତି ହେବା ସହ ଆମ ଅର୍ଥନୀତି ସୁଦୃଢ ହେବ। ଲୋକଙ୍କ ରୋଜଗାର ବୃଦ୍ଧି ପାଇବ। ନୂଆ ବସଷ୍ଟାଣ୍ଡ ଗୁଡ଼ିକରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହି ଅବସରରେ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ବସଷ୍ଟାଣ୍ଡ ଏକ ସହରର ପରିଚୟ। ତେଣୁ ଏହି ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣରେ ସହରବାସୀ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।