EducationLatestNews

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧୭,୫୦୦ କର୍ମଚାରୀ ଉପକୃତ ହେବେ।

ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ୧୫ ଦିନର ସାମୟିକ ଛୁଟି ପାଇବେ। ଏଥିସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ୧୮୦ଦିନର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ ପ୍ଲେସମେଣ୍ଟ ସ୍କେଲ ସୁବିଧା ପ୍ରଦାନ କରାଯିବ ।

ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପାଇଁ ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା (Ex-Gratia) ରାଶି ଯଥାକ୍ରମେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି |

ଇତି ମଧ୍ଯରେ କ୍ଯାବିନେଟ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଷାଠିଏ ବର୍ଷ ବୟସରେ ସେବା ନିବୃତ୍ତି ସମୟରେ ଏକକାଳୀନ ରାଶି ଭାବରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଯଥାକ୍ରମେ ୧୦ଲକ୍ଷ ଓ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ମଧ୍ଯ ନେଇଛନ୍ତି ।