FeaturedLatestNews

କାର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ

ଭଦ୍ରକ (ସଂକେତ ଟିଭି): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ଥାନା ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଛାତ୍ରୀଜଣକ ତାଳପଦା ସ୍ଥିତ ମାଣିକଲାଲ ମହିଳା କଲେଜରେ ପଢୁଥିଲେ। କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଇଣ୍ତିଗୋ କାର ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀଜଣକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କାରକୁ ଭଙ୍ଗାରୁଜା କରିଛନ୍ତି। ପରେ ସେଠାରେ ରାସ୍ତାରୋକ କରାଯାଇଛି । ତାଳପଦାସ୍ଥିତ ମାଣିକଲାଲ ମହିଳା କଲେଜର ଛାତ୍ରୀମାନେ ରାସ୍ତାରୋକୋରେ ସାମିଲ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ , ଅତିରିକ୍ତ ତହସିଲଦାର ନମିତା ଧଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ କାରକୁ ଅଟକ ରଖିବା ସହ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।