FeaturedLatestNews

ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ମିଶନ ଶକ୍ତି ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହା ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ । ଏହାଦ୍ବାରା ରାଜ୍ୟରେ ୧,୨୬,୦୧୦ ମିଶନ ଶକ୍ତି କର୍ମକର୍ତ୍ତା ଉପକୃତ ହେବେ । ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇଛି । ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଏହା ଆଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି ଓ ସମ୍ପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୪୦୦୦ ଟଙ୍କା ପାଉଥିବାବେଳେ ଏବେ ୪,୫୦୦ ଟଙ୍କା ପାଇବେ । ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨୦୦୦ ଟଙ୍କା ପାଉଥିବାବେଳେ ଏବେ ୨୫୦୦ ଟଙ୍କା ପାଇବେ ।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨୦୦୦ ଟଙ୍କା ପାଉଥିଲେ । ଏବେ ସେମାନେ ୨୫୦୦ ଟଙ୍କା ପାଇବେ । ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସମ୍ପାଦକ ଥିବାବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ ରହିଛି । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହିପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ ।