FeaturedGeneralLatest

ବାବା ରାମଦେବଙ୍କ କ୍ଷମା ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି । ହେଲେ ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାଁନ୍ତି।

ଜଷ୍ଟିସ ହିମା କୋହଲି ଏବଂ ଅସାଦ୍ଦୁଦିନ ଓମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାବା ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୁକୁଲ ରୋହତାଗୀଙ୍କୁ କହିଛନ୍ତି ଯେ, କୋର୍ଟ ଅନ୍ଧ ନୁହେଁ । ରାମଦେବ ଓ ବାଳକୃଷ୍ଣଙ୍କ କ୍ଷମା ସ୍ବୀକାର କରାଯାଇପାରିବ ନାହିଁ । କାରଣ ଏହାକୁ ଜାଣିଶୁଣି ଆଦେଶର ଆବମାନନା କରାଯାଇଥିବା ଆମେ ଭାବୁଛୁ । କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପ୍ରଚାର ଉଦ୍ଦେଶ୍ୟ ଦାଖଲ କରାଯାଇଥିଲା ନା ଆମ ଉଦ୍ଦେଶ୍ୟରେ ? ଏହି ମାମଲାରେ ଆମେ ଉଦାରବାଦୀ ହେବାକୁ ଚାହୁଁନାହୁଁ । ତେଣୁ ବାଳକୃଷ୍ଣ ଓ ରାମଦେବଙ୍କ କ୍ଷମା ପତ୍ର ଖାରଜ କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି ।

ଏହାପୂର୍ବରୁ ଶୁଣାଣି ବେଳେ ଓକିଲ ମୁକୁଲ ରୋହତାଗୀ ଅଦାଲତକୁ କହିଥିଲେ ଯେ, ଆମେ ୬ ଏପ୍ରିଲରେ କ୍ଷମା ପତ୍ର ଦାଖଲ କରିଥିଲୁ । ହୁଏତ ରେଜିଷ୍ଟ୍ରି ବିଚାରପତିଙ୍କ ସାମ୍ନାରେ ଏହାକୁ ରଖିନଥିବେ । ଏହାପରେ ରୋହତାଗୀ କ୍ଷମା ପତ୍ର ପଢିଥିଲେ, ଯେଉଁଥିରେ ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଥିଲା । ହେଲେ ବିଚାରପତି ଏଥିରେ ଆପତ୍ତି ଉଠାଇଥିଲେ । କ୍ଷମା ପତ୍ରରେ ରାମଦେବଙ୍କ ବିଦେଶ ଗସ୍ତର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହା ଶୁଣି ସେମାନେ ଏହି ଆଇନ ପ୍ରକ୍ରିୟାକୁ ହାଲୁକାରେ ନେଉଥିବା ବିଚାରପତି କହିଥିଲେ ।

ବିଭ୍ରାନ୍ତିକର ବିଜ୍ଞାପନ ନେଇ ଆଇଏମଏ ପତଞ୍ଜଳି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହାପରେ ବାବା ରାମଦେବ ଓ ବାଲକୃଷ୍ଣଙ୍କୁ ଅବମାନନା ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହାର କୌଣସି ଉତ୍ତର ନଦେବାରୁ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ପତଞ୍ଜଳି ଦେଇଥିବା ବିଜ୍ଞାପନରେ ବିପି, ସୁଗାର, ଆଜମା ଓ ଅନେକ ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାକୁ ଦାବି କରାଯାଇଥିଲା ।