FeaturedLatestNews

ସବୁ ରେକର୍ଡ ଭାଙ୍ଗିଲା ତାତି, ୪୬ ଡିଗ୍ରୀ ଟପିଲା ବାଲେଶ୍ବର

ଭୁବନେଶ୍ବର (ସଂକେତ ଟିଭି) : ସାରା ରାଜ୍ୟରେ ହୁହୁ ହୋଇ ବଢୁଚି ତାତି। ଆଜି ସକାଳୁ ସକାଳୁ ଯେପରି ତାପମାତ୍ରା ଅନୁଭବ ହୋଇଥିଲା ତାହା ଅସହ୍ୟ। ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ଛୁଇଁଛି ବାଲେଶ୍ବର ତାପମାତ୍ରା । ଆଜି ୪୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରେକର୍ଡ ତାତି ସହ ୪୫.୪ ଡିଗ୍ରୀ ପାରା ଛୁଇଁଛି। ଆହୁରି ୩ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଆଗାମୀ ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ପୁରା ଓଡିଶା ତାତିର ପ୍ରକୋପରେ ସନ୍ତୁଳି ହେବ । ଏନେଇ ପାଣିପାଗ ବିଭାଗ ସାରା ବିଭିନ୍ନ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି।

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍‌-ୱେଭ୍‌ ରହିବାର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ସେହିପରି ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ହିଟ୍‌-ୱେଭ୍‌କୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ୍‌ ଆଲର୍ଟର ସତର୍କତା ଥିବାବେଳେ ୩ ତାରିଖ ବେଳକୁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ପରେ ୫ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଦିନ ୨:୩୦ ସୁଦ୍ଧା ବିଭିନ୍ନ ସ୍ଥାନର ରେକର୍ଡ ତାପମାତ୍ରା- ବାଲେଶ୍ବର: ୪୬ ଡିଗ୍ରୀ, ଭୁବନେଶ୍ବର: ୪୫.୪ ଡିଗ୍ରୀ, ଝାରସୁଗୁଡା: ୪୪.୨ ଡିଗ୍ରୀ, ଚାନ୍ଦବାଲି: ୪୩.୬ ଡିଗ୍ରୀ, ରାଉରକେଲା: ୪୩.୨ ଡିଗ୍ରୀ, ସମ୍ବଲପୁର: ୪୩.୨ ଡିଗ୍ରୀ, କେନ୍ଦୁଝର : ୪୩ ଡିଗ୍ରୀ, ପୁରୀ: ୩୫.୧ ଡିଗ୍ରୀ, ଗୋପାଳପୁର: ୩୩.୬ ଡିଗ୍ରୀ, ପାରାଦ୍ବୀପ: ୩୩.୬ ଡିଗ୍ରୀ