FeaturedGeneralLatest

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ (ସଂକେତ ଟିଭି): : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ଆସନ୍ତା ଜୁନ୍ ୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ଜାମିନ ପାଇବା ପରେ କେଜ୍ରିୱାଲ ଏବେ ଆପ୍ ପାଇଁ ପ୍ରଚାର କରିବେ।

ସୂଚନା ଅନୁସାରେ, ମାର୍ଚ୍ଚ ୨୧ ତାରିଖରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଇଡି ହେପାଜତରେ ଥିବା କେଜ୍ରିୱାଲଙ୍କ ତରଫରୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ତାଙ୍କୁ ଜାମିନ ମିଳିବା ଉଚିତ ବୋଲି କୁହାଯାଇଥିଲା । ତେବେ ତଦନ୍ତକାରୀ ସଂସ୍ଥା ଏହାକୁ ବିରୋଧ କରି କହିଥିଲେ ଯେ, ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ । ଯଦି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ।