FeaturedLatestNews

ଖଲ୍ଲିକୋଟରେ ନିର୍ବାଚନୀ ହିଂସା, ଜଣେ ମୃତ, ୭ ଆହତ

ବ୍ରହ୍ମପୁର (ସଂକେତ ଟିଭି) : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ଦଳର ପୋଷ୍ଟର ମାରିବାକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷର ସାତଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ସ୍ବାସ୍ଥ୍ୟରେ ସୁଧାର ନଆସିବା କାରଣରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି । ମୃତକ ହେଲେ ବିଜେପି ନେତା ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନ ।

ସୂଚନା ଅନୁସାରେ,ଗତକାଲି(ବୁଧବାର) ବିଳମ୍ବିତ ରାତ୍ରିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବିଜେପି କର୍ମୀମାନେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ବାଚନ ପୋଷ୍ଟର ଲଗାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଯାଇଥିବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିବା ସହ ପରସ୍ପରଙ୍କ ମଧ୍ୟରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣ ପ୍ରତି ଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁ୍ତର ଆହତ ହୋଇଥିବା ବେଳେ ଅନ୍ୟପଟେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । କାହାର ହାତ, କାହାର ଗୋଡ଼ ଓ କାହାର ବେକକୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା।

ସେପଟେ ଏଭଳି ଘଟଣା ପରେ ଖଲ୍ଲିକୋଟର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଛି । ତେବେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ ହିଂସା ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ନିଆଯାଉଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଖଲ୍ଲିକୋଟରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗଜନକ ଏବଂ ଦୁଃଖଦ । ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ । ମୁଁ ଏହି ଘଟଣାକୁ ଦୃଢ ନିନ୍ଦା କରୁଛି । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ତାଙ୍କୁ ମୋର ଗଭୀର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମୁଁ ନିଶ୍ଚିତ ଯେ, ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।