FeaturedLatest

ରାୱଲପିଣ୍ଡି ପିଚ୍‌ ନିମ୍ନମାନର: ଆଇସିସି

କରାଚି ୧୧।୦୩ : (ସଂକେତ ଟିଭି) ପାକିସ୍ତାନର ରାୱଲପିଣ୍ଡି ପିଚକୁ ନିମ୍ନ ମାନର ବୋଲି ବିବେଚନା କରିବା ସହିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏକ ଡିମେରିଟ ପଏଣ୍ଟ ଲାଗୁ କରିଛି ।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଏହି ପିଚରେ ଅଷ୍ଟ୍ରେଲିଆ- ପାକିସ୍ତାନ ଚଳିତ ଟେଷ୍ଟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୭୬/୪ ରନ କରିଥିବା ବେଳେ ଅଷ୍ଟ୍ରେଲିଆ କରିଥିଲା ୪୫୯ ରନ । ସେହିପରି ପାକିସ୍ତାନ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୨୫୨ ରନ କରିଥିବା ବେଳେ ଦୁଇ ଓପନର ଶତକ ଅର୍ଜନ କରିଥିଲେ ।

ତେବେ ପାଞ୍ଚ ଦିନ ଖେଳରେ ୧୪ ୱିକେଟ ପତନ ହୋଇଥିବା ବେଳେ ପାକିସ୍ତାନର ଜଣେ ବୋଲରଙ୍କୁ ବାଦଦେଲେ ଉଭୟ ଦଳର ଅଧିକାଂଶ ବୋଲର ବିଫଳ ହୋଇଥିଲେ । ମୁଖ୍ୟତଃ ପେସ୍‌ ବୋଲରଙ୍କୁ ଏହି ପିଚ ଆଦୌ ସହାୟକ ହୋଇ ନଥିଲା । ସବୁଠାରୁ ବିସ୍ମୟର କଥା ହେଲା ଯେ ପାକିସ୍ତାନ ଦୁଇଟି ଯାକ ଇନିଂସରେ ହରାଇଲା କେବଳ ୪ ୱିକେଟ । ତେଣୁ ମ୍ୟାଚର ଫଳାଫଳ ଡ୍ର ରହିବା ଘଟଣା ନେଇ ଅଷ୍ଟ୍ରେଲିଆ ଦଳ
ତୀବ୍ର ଅସନ୍ତୋଷ ପ୍ରକାଶ କରି ଏହାକୁ ଡେଡ୍ ପିଚ ବୋଲି କହିଥିଲେ ।

ସେହିପରି ବିଭିନ୍ନ ମହଲରେ ମଧ୍ୟ ଏହି ପିଚକୁ ନେଇ ସମାଲୋଚନା କରା ଯାଇଥିଲା । ଆଇସିସି ନିୟମ ଅନୁସାରେ ଯେଉଁ ପିଚ ଉଭୟ ବ୍ୟାଟର ଓ ବୋଲରଙ୍କୁ ସୁହାଇବ ,ତାହା ଗ୍ରହଣ ଯୋଗ୍ୟ ହେବ । ମାତ୍ର ଯେଉଁ ପିଚରେ ବୋଲର ମାନେ ସମ୍ପୂର୍ଣ୍ଣ ନିରାଶ ହେବେ ,ତାହା ଆଇସିସି ପିଚ ଓ ଆଉଟ ଫିଲ୍ଡ ମନିଟରିଂ ପ୍ରୋସେସ ଆଧାରରେ ନିମ୍ନମାନର ପିଚ ଭାବେ ବିବେଚନା କରାଯିବ ।