CulturalFeaturedLatest

୫୦ ଡିଗ୍ରୀ ତାପମାତ୍ରାରେ ଚାଲୁଛି ସ୍କୁଲ, କିନ୍ତୁ ଖୁବ୍ ଥଣ୍ଡା

ଜୟପୁର : (ସଂକେତ୍ ଟିଭି) ରାଜସ୍ଥାନର ଥର୍ ମରୁଭୂମି, ଯେଉଁଠାରେ ଦିନର ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ୍ ହୋଇଥାଏ । ଏଠାରେ ଗରମ ପବନ ସାଙ୍ଗକୁ ତତଲା ବାଲି ଉଡ଼ିଥାଏ । ସାଧାରଣ ମଣିଷ ବଞ୍ଚିବା କଷ୍ଟକର ହେବ । ହେଲେ ଆପଣ ଭାବି ପାରିବେ ଏପରି ପରିବେଶରେ ପିଲାଙ୍କ ସ୍କୁଲ ହୋଇପାରିବ? ଦୂର ଦୂର ଯାଏ ବାଲି ହିଁ ବାଲି । ଆଉ ଭୟଙ୍କର ଗରମ ଅନୁଭୂତ ହେଉଥିଲେ ମଧ୍ୟ ଏଠାରେ ପିଲାମାନେ ହସ ଖେଳରେ ସ୍କୁଲରେ ପାଠ ପଢ଼ୁଛନ୍ତି । ଥର ରେଗିସ୍ତାନ ମଧ୍ୟରେ ଥିବା ଥର ମରୁଭୂମିରେ, ସୁନ୍ଦର ଏବଂ ଚିତ୍ତାକର୍ଷକ ଦୃଶ୍ୟର ଏହି ଚମତ୍କାର ସ୍ଥାପତ୍ୟ ବାଲିରେ ନିର୍ମିତ ହୋଇଛି । ଏହି ଅଣ୍ଡା ଆକୃତିର କୋଠା ଘରକୁ ଦେଖିଲେ ଲାଗୁଛି ଯେପରି ଏହି ସଂରଚନା ମଧ୍ୟ ପ୍ରାକୃତିକ ମରୁଭୂମିର ଏକ ଅଂଶ । ଏହା ହେଉଛି ରାଜକୁମାରୀରତ୍ନାବତୀ ବାଳିକା ବିଦ୍ୟାଳୟ ।

ଏହାକୁ ଡିଜାଇନ କରିଥିଲେ ନ୍ୟୁୟର୍କର ଡାଏନା କେଲୋଗ୍ । ରାଜସ୍ଥାନର ମହିଳା ସାକ୍ଷରତା ହାର ବଢ଼ାଇବା ସହ ସ୍ୱାବଲମ୍ୱୀ କରାଇବା ପାଇଁ ଏହି ବାଳିକା ବିଦ୍ୟାଳୟ ନିର୍ମାଣ ହୋଇଥିଲା । ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟକୁ ଆମେରିକା ମାଇକଲ୍ ଡ୍ୟୁବର ଏନିଜିଓ (ସିଆଇଆଇଟିଏ) ନିର୍ମାଣ କରିଛି । ‘ଜ୍ଞାନ କେନ୍ଦ୍ର’ ଭାବେ ପରିଚିତ ଏହି ବିଦ୍ୟାଳୟରେ ଆର୍ଥିକ ଅନଗ୍ରସର ବାଳିକାମାନେ ପାଠ ପଢ଼ୁଛନ୍ତି । ଏହି ସ୍କୁଲରେ ଦଶମ ଶ୍ରେଣୀ ଯାଏ କକ୍ଷ ରହିଛି । ବର୍ତ୍ତମାନ ସେଠାରେ ୪୦୦ ଛାତ୍ରୀ ପାଠ ପଢ଼ୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସ୍କୁଲରେ କୌଣସ ଏୟାର କଣ୍ଡିସନ ନଥିଲେ ମଧ୍ୟ ଏଠାରେ ପ୍ରଚଣ୍ଡ ଗରମ ଭିତରେ ଥଣ୍ଡା ଲାଗିଥାଏ । ଏହା ସୁନ୍ଦର ଲାଟାଇସ୍ କାନ୍ଥ ଏବଂ ଭେଣ୍ଟିଲେଟେଡ୍ ଛାତ ସହିତ ସୌର ସ୍ଥାପନାର ଚମତ୍କାର ସ୍ଥାପତ୍ୟର ଏକ ଉଦାହରଣ । ଏହି ସ୍କୁଲକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ।