ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ମୁମ୍ବାଇ(ସଂକେତ୍ ଟିଭି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରାଯାଇଛି । କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ନରେଶ ଗୋୟଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଇଡି ଗିରଫ କରିଛି।
ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ତାଙ୍କୁ ମନି ଲଣ୍ଡରିଂ ଆଇନ(ପିଏମ୍ଏଲ୍ଏ) ଅଧୀନରେ ଗିରଫ କରିଛି। ଜେରା ପାଇଁ ଗୋୟଲ ‘ସିରିୟସ୍ ଫ୍ରଡ୍ ଇନ୍ଭେଷ୍ଟିଗେସନ୍ ଅଫିସ୍’ (ଏସ୍ଏଫଆଇଓ) ଅଭିମୁଖେ ବାହାରିଥିଲେ, କିନ୍ତୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ। କାରଣ, ପୂର୍ବରୁ ‘ଇଡି’ ଜାରି କରିଥିବା ୨ଟି ସମନ୍କୁ ସେ ଏଡ଼ାଇ ଯାଇଥିଲେ।
କାନାରା ବ୍ୟାଙ୍କ ପକ୍ଷରୁ ଗୋୟଲ, ତାଙ୍କ ପତ୍ନୀ ଅନୀତା ଏବଂ କମ୍ପାନୀର କିଛି ପୂର୍ବତନ ଅଧିକାରୀଙ୍କ ବିରୋଧରେ ଗତବର୍ଷ ନଭେମ୍ବର ୧୧ ତାରିଖରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ବିଶ୍ବାସ ଭଙ୍ଗ ଭଳି ଅଭିଯୋଗ ହୋଇଥିଲା। ସେହିପରି, କେନରା ବ୍ୟାଙ୍କ୍ର ଚିଫ୍ ଜେନେରାଲ୍ ମ୍ୟାନେଜର୍ ପି. ସନ୍ତୋଷ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍ର୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି।
ଚଳିତ ବର୍ଷ ମେ ପ୍ରାରମ୍ଭରେ ‘ସିବିଆଇ’ ପଞ୍ଜିକୃତ କରାଇଥିବା ‘ଏଫ୍ଆଇଆର୍’ ଆଧାରରେ ଏହି ମାମଲା ପର୍ଯ୍ୟବେଶିତ। ଗୋୟଲ୍ଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ‘ସିବିଆଇ’ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ।
ସୂଚନାଯୋଗ୍ୟ, ପ୍ରାୟ ୨୫ ବର୍ଷ କାଳ ବିମାନ ଚଳାଚଳ କରାଇଥିବା ‘ଜେଟ୍ ଏୟାର୍ୱେଜ୍’ ୨୦୧୯ରେ ସେବା ବନ୍ଦ କରିଥିଲା। ବିମାନ ଚଳାଇବା ଲାଗି ପାଣ୍ଠି ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ତା’ର ବିପୁଳ ଆର୍ଥିକ କ୍ଷତି ହୋଇଥିଲା।