FeaturedLatestSports

କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ, ସିରିଜ୍ ୧-୧ରେ ଡ୍ର

କେପଟାଉନ (ସଂକେତ ଟିଭି): କେପଟାଉନ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ଶେଷ ହୋଇଛି ।

ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଓ ଦ୍ଵିତୀୟ ଇନିଂସରେ ଯଶପ୍ରୀତ ବୁମରା ୬ଟି ଲେଖାଏଁ ଓ୍ଵିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିଲେ । ଏହା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୯୮ ରନରେ ଆଗୁଆ ରହିଥିଲା ।

ଦ୍ଵିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୧୭୬ ରନରେ ଅଲ ଆଉଟ ହୋଇଯାଇଥିଲେ। ମାରକ୍ରମ ୧୦୩ ବଲରୁ ୧୭ ଚୌକା ଓ ୨ ଛକା ସହ ୧୦୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଦ୍ଵିତୀୟ ସର୍ବାଧିକ ସ୍କୋରର ଭାବେ ଡିନ ଏଲଗର ୧୨ ରନ କରିଥିଲେ। ସେହିପରି ବେଡିନଘମ ୧୧ ଓ ମାର୍କୋ ଜନସେନ ୧୧ ରନ କରିଥିଲେ। ବାକି ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିଲେ ।

ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।