FeaturedLatestNewsPolitics

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ

ଭୁବନେଶ୍ୱର (ସଂକେତ ଟିଭି): ଭଣ୍ଡାରିପାଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ତାଙ୍କୁ ସମନ ପଠାଯାଇଛି। କାଗଜପତ୍ର ସହ ହାଜର ହେବାକୁ କୁହାଯାଇଛି। ଗତ ୧୫ ତାରିଖରେ ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ କରିଥିଲା । ଶୁକ୍ରବାର ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଗୁରୁବାର ଦିନ ଇଡି ପ୍ରଫୁଲ୍ଲଙ୍କ ଘରେ ରେଡ୍ କରିଥିଲା । ତେବେ ଏହି ସମୟରେ ଇଡି ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା, ଦାମୀ କାର୍‌ ଓ ବହୁ କାଗଜ ପତ୍ର ଜବତ କରିଛି। ଜବତ ଗାଡି ନୟାପଲ୍ଳୀର ବିଲ୍ଡର ବୁବୁ ଧୀରଙ୍କ କମ୍ପାନୀ ନାଁରେ ରହିଛି । ଇଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ଘର, ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସ, ସହଯୋଗୀଙ୍କ ଘରକୁ ମିଶାଇ ୧୦ଟି ଜାଗାରେ ଚଢ଼ଉ କରିଥିଲା । ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫଚ୍ୟୁନର କାର୍‌ (ଓଡି୦୨ସିଏଲ୍‌୨୧୧୧) ଜବତ ହୋଇଥିଲା । ବିଲ୍ଡର ସଂସ୍ଥା ‘ତ୍ରିଷ୍ଣା ସ୍କାଏସ୍କ୍ରାପର ଲିମିଟେଡ୍‌’ ନାଁରେ ଏହି ଗାଡି ରହିଛି । ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିଲେ ।

ସୂଚନା ଅନୁସାରେ, ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିଲା। ପରେ ଉକ୍ତ ଜମିକୁ ବିଲ୍ଡର ସଂସ୍ଥା ହାତକୁ ଟେକି ଦିଆଯାଇଥିଲା । ସେ ଜମିର ପାୱାର ଅଫ୍‌ ଆଟର୍ଣ୍ଣି ବିଧାୟକଙ୍କ ପୁଅ ପ୍ରୟାସକାନ୍ତି ବିଲ୍ଡର ବୁବୁଙ୍କୁ ଦେଇଥିଲେ । ବୁବୁ ପାୱାର ଅଫ୍‌ ଆଟର୍ଣ୍ଣି ପାଇବା ପରେ ଉକ୍ତ ଜମିକୁ ସେ ବିଭିନ୍ନ ଲୋକଙ୍କୁ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ବାକି କିଛି ଜମିରେ ବୁବୁ ‘ସ୍ପ୍ରିଙ୍ଗ୍‌ ସିଟି’ ନାମରେ ଏକ ଉଚ୍ଚ ଅଟ୍ଟାଳିକା ଠିଆ କରିଥିଲେ । ପ୍ରୟାସକାନ୍ତିଙ୍କ ସହଯୋଗରେ ବୁବୁ କଲେଜ ଜମି ବିକ୍ରି କରି କୋଟି କୋଟି ରୋଜଗାର କରିଥିଲେ । ସେଥିପାଇଁ ବିଲ୍ଡର ବୁବୁ ପ୍ରୟାସକାନ୍ତିଙ୍କୁ ୨ଟି ଫଚ୍ୟୁନର କାର୍‌ (କଳା ଓ ଧଳା ରଙ୍ଗର) ସହ ଅନ୍ୟ କେତୋଟି ଦାମୀ କାର୍‌ ମଧ୍ୟ ଗିଫ୍ଟ୍‌ କରିଥିଲେ । ଇଡି କଳା ରଙ୍ଗର ଫଚ୍ୟୁନର କାର୍‌ ଜବତ କରିଛି । ଆଉ ଏକ ଫଚ୍ୟୁନର କାର୍‌ କେଉଁଠି ତାକୁ ଖୋଜୁଛି ।

ସେପଟେ ଇଡି ରେଡ୍ ପରେ ଆଜି ବିଜେଡିର ବରିଷ୍ଠ ନେତାମାନେ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଛନ୍ତି । ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଭେଟିବା ସହ ଆଲୋଚନା କରିଛନ୍ତି । ଏ ନେଇ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ଜିଲ୍ଲା ବିଜୁ ଜନତା ଦଳର ଶୀର୍ଷ ନେତୃମଣ୍ଡଳୀଙ୍କ ଉପସ୍ଥିତରେ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିବା ସେ ଲେଖିଛନ୍ତି ।