EducationFeaturedLatestNews

ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ

ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟର ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାରେ ୨ ହଜାର ମସିହାରେ ୫୪୮ଟି ଡିଗ୍ରୀ କଲେଜ ଥିଲା। ଏବେ ୧ ହଜାର ୪୦ରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ବବିଦ୍ୟାଳୟ ଅଛନ୍ତି। କଲେଜଗୁଡ଼ିକରେ ଖାଲିଥିବା ପଦବି ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧ ହଜାର ୩୩ ଜଣ ମନୋନୀତ ହୋଇଛନ୍ତି। ଲାପଟପ ଯୋଜନା ଦ୍ବାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପଠା ଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ସୂଚନା ଦେଇଛନ୍ତି।