FeaturedGeneralLatest

ଅଚାନକ ଇସ୍ତଫା ଦେଲେ ନିର୍ବାଚନ କମିସନର ଅରୁଣ ଗୋଏଲ

ନୂଆଦିଲ୍ଲୀ (ସଂକେତ ଟିଭି) : ସାଧାରଣ ନିର୍ବାଚନକୁ ଆଉ କିଛି ସପ୍ତାହ ବାକିଥିବାବେଳେ ଭାରତର ନିର୍ବାଚନ କମିସନର ଅରୁଣ ଗୋଏଲ ଆଜି ତାଙ୍କ ପଦରୁ ହଠାତ୍‌ ଇସ୍ତଫା ଦେଇଛନ୍ତି । ଆଉ ଦୁଇ ତିନି ଦିନ ପରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ ତାଙ୍କର ଇସ୍ତଫା ଏହି ଘୋଷଣାକୁ ବିଳମ୍ବିତ କରିପାରେ। କାରଣ ତିନି ଜଣିଆ ନିର୍ବାଚନ କମିସନ୍‌ରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିବା ବେଳେ ଆଜି ଗୋଏଲଙ୍କ ଇସ୍ତଫା ପରେ କମିସନ୍‌ରେ କେବଳ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ରହିଯାଇଛନ୍ତି । ଗୋଏଲଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ତେବେ ସେ ଅଚାନକ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ି ନାହିଁ।

ଏହି ଭିତରେ ଅରୁଣଙ୍କୁ ନେଇ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଅରୁଣ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବେ।

ସୂଚନା ଅନୁଯାୟୀ, ନିକଟରେ ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ନାମ ଉପରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଅରୁଣ ଗୋଏଲ ଯୋଗ ଦେଇନାହାନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି ବୋଲି ଆୟୋଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି।

୧୯୯୩ ପରଠାରୁ, ନିର୍ବାଚନ ଆୟୋଗ କେବେବି ଏକ ସଦସ୍ୟ ଭାବେ ହୋଇନାହିଁ। ଅରୁଣ ଗୋଏଲ ତାଙ୍କ ଇସ୍ତଫା ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଏହାର କୌଣସି ଅନ୍ୟ କପି ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନିକଟକୁ ପଠାଇ ନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ନିର୍ବାଚନ କମିଶନର ପଦ ନିଯୁକ୍ତ କିମ୍ବା ପଦ ଛାଡିବାରେ ସିଇସିଙ୍କର କୌଣସି ଭୂମିକା ନାହିଁ, ତେଣୁ ନିର୍ବାବାଚନ କମିଶନର୍‌ ଏହି ପଦ ଛାଡିବା ସମୟରେ ସିଇସିଙ୍କୁ ତାଙ୍କ ଇସ୍ତଫା ପତ୍ରର ଏକ କପି କିମ୍ବା ସୂଚନା ଦେବା ଜରୁରୀ ନୁହେଁ।

୧୯୮୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ୧୮ ନଭେମ୍ବର ୨୦୨୨ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାର ପରଦିନ ଅର୍ଥାତ୍ ୧୯ ତାରିଖରେ କେନ୍ଦ୍ର ସରକାର ତାଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଥିଲେ। ୨୧ ତାରିଖରେ ‌ସେ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କର ଏଭଳି ତରବରିଆ ନିଯୁକ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ବେଚ୍ଛାକୃତ ଅବସର ନେବାର ଗୋଟିଏ ଦିନ ପରେ ତାଙ୍କର ଏଭଳି ନିୁଯୁକ୍ତିକୁ ନେଇ ସୁପ୍ରିମ କୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ କମିସନର ନିଯୁକ୍ତି ପାଇଁ ଆଇନ ବିଭାଗ ୪ ଜଣଙ୍କ ନାମ ସର୍ଟଲିଷ୍ଟ କରିଥିଲା। ଏହି ଫାଇଲ୍‌କୁ ନଭେମ୍ବର ୧୮ ତାରିଖରେ ଉପସ୍ଥାପିତ କରାଯାଇଥିଲା। ସେହିଦିନ ପ୍ରକ୍ରିୟା ଆରମ୍ଭ ହେଲା, ପ୍ରଧାନମନ୍ତ୍ରୀ ସେହି ଦିନ ସୁପାରିସ କଲେ ଏବଂ ସେହି ଦିନ ନିଯୁକ୍ତି ମିଳିଲା।