EntertainmentFeaturedGeneralLatest

ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ (ସଂକେତ ଟିଭି) ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୧୧ଟାରେ ମୁମ୍ବାଇରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଛି । । ସେ ୧୭ ମଇ ୧୯୫୧ରେ ଗୁଜୁରାଟର ଜେଟତପୁରରେ ଜନ୍ମଗ୍ରହଣ କରିଥିଲେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୮୦ ମସିହାରେ ସେ ଆହଟ ନାମକ ଏକ ଗଜଲ ଆଲବମ୍ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ଗଜଲ ‘ଚିଠି ଆଇ ହୈ’ରୁ ସେ ପ୍ରସିଦ୍ଧି ପାଇଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ଏହି ଗଜଲକୁ ସାମିଲ କରାଯାଇଥିଲା। ପଙ୍କଜ ‘ୟେ ଦିଲ୍ଲାଗି’, ‘ଫିର୍ ତେରି କାହାନି ୟାଦ୍ ଆୟେ’, ‘ଚାଲେ ତୋ କାଟ୍ ହି ଜାଏଗି’ ଏବଂ ‘ତେରେ ବିନ୍’ ଭଳି ଅନେକ ଗଜଲରେ କଣ୍ଠଦାନ କରିଥିଲେ। ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ନା ଗଜରେ କି ଧାରଟ୍ଟ’ ତାଙ୍କ କଣ୍ଠର ଯାଦୁର ଆଉ ଏକ ଉଦହାରଣ । ପଙ୍କଜ ଉଧାସଙ୍କୁ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜର ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପଙ୍କଜ ୧୯୮୨ ମସିହାରେ ଫରିଦା ଉଧାସଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ରେଭା ଉଧାସ ଏବଂ ଏକ ପୁତ୍ର ନାୟାବ ଉଧାସ ରହିଛନ୍ତି ।