FeaturedGeneralLatestPolitics

ରାଜନୀତିରୁ ସନ୍ୟାସ ନେଲେ ସାଂସଦ ଗୌତମ ଗମ୍ଭୀର

ନୂଆଦିଲ୍ଲୀ (ସଂକେତ ଟିଭି) :ଭାରତୀୟ ଟିମର ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ରାଜନୀତିରୁ ସନ୍ୟାସ ନେବା ପାଇଁ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଅନୁରୋଧ କରିଥିବା ଏକ୍ସରେ ସୂଚନା ଦେଇଛନ୍ତି । ରାଜନୀତିରୁ ମୁକ୍ତ ହେଲେ ଆଗାମୀ ଦିନରେ କ୍ରିକେଟ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି । ସେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗୌତମ ଗମ୍ଭୀର ଏକ୍ସରେ ଉଲ୍ଲେଖ କରିଛନ୍ତି, ମୁଁ ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି । ଯାହା ଦ୍ବାରା ଆଗାମୀ ଦିନରେ ମୁଁ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇ ପାରିବି । ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି ଗମ୍ଭୀର । କ୍ରିକେଟରୁ ସନ୍ୟାସ ନେବା ପରେ ଗମ୍ଭୀର 2019ରେ ରାଜନୀତିକୁ ଆସିଥିଲେ । ମାର୍ଚ୍ଚ ମାସରେ ସେ ବିଜେପିରେ ଯୋଗ ଦେଇଥିଲେ । 2019 ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ପୂର୍ବ ଦିଲ୍ଲୀ ଆସନରୁ ଲଢି ବିଜୟୀ ହୋଇଥିଲେ । କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ 2019ରେ ପଦ୍ମଶ୍ରୀ ସମ୍ମାନରେ ଗମ୍ଭୀର ସମ୍ମାନିତ ହୋଇଥିଲେ । ଚଳିତ ଆଇପିଏଲରେ ଗମ୍ଭୀର କୋଲକାତା ନାଇଟ ରାଇଡର୍ସ (KKR)ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ।