FeaturedLatestNewsPolitics

ବିଜେପିରେ ଯୋଗ ଦେଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଏବଂ ନରେନ

ଭୁବନେଶ୍ବର (ସଂକେତ ଟିଭି) : ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ ରାଜୁ ଦାସ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଏହି ତିନିଜଣ ପଦ୍ମ ଦଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବିଜେପି ପ୍ରାକ୍ତନ ସଭାପତି ସମୀର ମହାନ୍ତି ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତୀତ ଉକ୍ତ ତିନି ନେତାଙ୍କ ବହୁ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ତେଲକୋଇ ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରେମାନନ୍ଦ ନାୟକ, ଗତ ଅକ୍ଟୋବର ମାସରୁ ବିଜେଡି ସଭାପତି ଏବଂ ସଂଗଠନ ସମ୍ପାଦକଙ୍କୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ । ପ୍ରେମାନନ୍ଦ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ୨୦୦୯ରେ ପ୍ରଥମଥର ପାଇଁ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ । ସେହିପରି ୨୦୧୯ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ । ଗୋଷ୍ଠୀ କନ୍ଦଳ ପାଇଁ ପ୍ରେମାନନ୍ଦ ବିଜେଡି ଛାଡିଥିବା କହିଥିଲେ ।

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଧାମନଗର ଉପ-ନିର୍ବାଚନରେ ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜୁ ଦାସ ବିଜେଡିରୁ ବହିଷ୍କୃତ ହୋଇଥିଲେ । ୨୦୦୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ଦଳ ୨୦୧୪ରେ ଟିକେଟ ଦେଇନଥିଲା । ତେବେ ୨୦୧୯ରେ ପୁଣିଥରେ ଟିକେଟ ପାଇଥିଲେ ମଧ୍ୟ ସେ ସେତେବେଳର ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କଠାରୁ ପରାଜିତ ହୋଇଥିଲେ । ପରେ ବିଷ୍ଣୁଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାଜିତ ହୋଇଥିଲେ ।

ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ଭଦ୍ରକ ବିଧାୟକ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ନରେନ ଆଶାୟୀ ଥିଲେ ।