LatestNews

ସମ୍ବଲପୁର ଓ ବ୍ରହ୍ମପୁରରେ ମୋ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ।

କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରରେ ବିଧାୟକ ରୋହିତ ପୂଜାରୀ ଯୋଗ ଦେଇ କହିଲେ ଯେ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍‌ ଭଳି ଏହି ମୋ ବସ୍‌ ସେବା ନିଶ୍ଚିତ ଭାବେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାରେ ସୁବିଧା ଆଣିବ। ଆଜି ବିକାଶର ଧାରା ସମ୍ବଲପୁର ଜିଲ୍ଲାରେ ଜାରି ରହିଛି। ଏଥିପାଇଁ ଜିଲ୍ଲାବାସୀ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଥିଲେ।

ସେହିପରି ବ୍ରହ୍ମପୁର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କହିଲେ ଯେ ବ୍ରହ୍ମପୁର ସହରରେ ପିଇବା ପାଣି ଠାରୁ ଆରମ୍ଭ କରି ଗମନାଗମନ ପାଇଁ ମୋ ବସ୍‌ ପର୍ଯ୍ୟନ୍ତ ସମସ୍ତ ସୁବିଧା ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଯୋଗାଇ ଦେଇଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି। ଏହି ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱ ଦରବାରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥାନନ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଦେଇଥିଲେ।