FeaturedGeneralLatest

ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ (ସଂକେତ ଟିଭି) : ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ହେବେ ନିର୍ବାଚନ କମିଶନର । ଦୁଇ ନିର୍ବାଚନ କମିଶନର ପଦ ଖାଲି ପଡିଥିଲା । ତେବେ ଏହି ଦୁଇ ପ୍ରାଶାସନିକ ଅଧିକାରୀଙ୍କୁ ନିର୍ବାଚନ କମିଶନର ଦାୟିତ୍ବ ମିଳିଛି । ଏନେଇ ସରକାରୀ ସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।

ପୂର୍ବତନ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋୟଲଙ୍କ ଇସ୍ତଫା ଯୋଗୁଁ ନିର୍ବାଚନ ଆୟୋଗରେ ଦୁଇଟି ନିର୍ବାଚନ କମିଶନର ପଦ ଖାଲି ପଡ଼ିଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଜୁନ ରାମ ମେଘଓ୍ବାଲ ଏବଂ ମୁଁ ସାମିଲ ହୋଇଥିଲୁ । ବୈଠକରେ ସାମିଲ ହେବା ପୂର୍ବରୁ ମୁଁ ଏକ ସଂକ୍ଷିପ୍ତ ତାଲିକା ମାଗିଥିଲି । ଦୁଇଜଣ ପ୍ରାଶାସନିକ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁଙ୍କୁ ଇଲେକ୍ସନ କମିଶନର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଖୁବଶୀଘ୍ର ଦୁଇଜଣ ନିର୍ବାଚନ କମିଶନରଙ୍କ ନାମ ଘୋଷଣା କରାଯାଇ ପାରେ ।

ସେ କହିଛନ୍ତି ଯେ, ସରକାର ଯାହାକୁ ଚାହିଁବେ ସିଏ ହିଁ ନିର୍ବାଚନ କମିଶନର ହେବ । କମିଟିରେ ସରକାର ସଂଖ୍ୟାଗରିଷ୍ଠତା ରହିଛି ଏବଂ ଏହି କାରଣରୁ ସରକାର ନିଜ ପସନ୍ଦର ନାମ ସ୍ଥିର କରିପାରିବେ । ଭାରତ ପରି ଗଣତନ୍ତ୍ରରେ ଏତେ ବଡ ପଦବୀ ପାଇଁ ଏଭଳି ନିଯୁକ୍ତି କରିବା ଉଚିତ ନୁହେଁ ।

ସୂଚନା ଅନୁସାରେ, ବୈଠକ ପୂର୍ବରୁ ବୁଧବାର ଦିନ ଅଧୀର ରଞ୍ଜନ ଚୌଧୁରୀ ଆଇନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ତାଲିକାରେ ଅନ୍ତର୍ଭୁକ୍ତ ଆଶାୟୀଙ୍କ ବିଷୟରେ ତଥ୍ୟ ମାଗିଥିଲେ । ଏହି ପ୍ରସଙ୍ଗକୁ ନେଇ ସେ ଆଜି କହିଛନ୍ତି, ଗତକାଲି ମୋତେ 212ଜଣଙ୍କ ନାମ ଦିଆଯାଇଥିଲା । କିନ୍ତୁ ଆଜି ବୈଠକର ଦଶ ମିନିଟ ପୂର୍ବରୁ ମୋତେ ଛଅଟି ନାମ ଦିଆଗଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମନୋନିତ କରାଯାଇଛି । ନିର୍ବାଚନ କମିଶନର ନିଯୁକ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକସବାରେ ବିରୋଧୀ ଦଳର ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଏକ କମିଟି କରି ନିଷ୍ପତ୍ତି ନେବା ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ନିଜ ଇଚ୍ଛାରେ ପ୍ରାର୍ଥୀ ଚୟନ କରିଥିବା ନେଇ ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି ।