FeaturedLatestSports

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ‌ଘୋଷଣା କଲେ ସୁନୀଲ ଛେତ୍ରୀ

ନୂ୍ଆଦିଲ୍ଲୀ (ସଂକେତ ଟିଭି) : ଫୁଟ୍‌ବଲ୍‌ ଆଇକ ତଥା ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଛେତ୍ରୀ ଅବସର ଘୋଷଣା କରିଛନ୍ତି।

୩୯ ବର୍ଷିୟ ଛେତ୍ରୀ ୨୦୦୫ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମାର୍ଚ୍ଚରେ ଗୌହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ତମ ମ୍ୟାଚ୍ ଖେଳିଥିଲେ। ସେ ଏହି ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରିଥିଲେ ହେଁ ଭାରତ ଏହି ମ୍ୟାଚକୁ ୧-୨ରେ ହାରିଥିଲା। ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଭାରତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଜୟୀ କରାଇଛନ୍ତି। ଛେତ୍ରୀ ଭାରତ ପାଇଁ ଏପର୍ଯ୍ୟନ୍ତ ୧୫୦ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୨୦ବର୍ଷ କ୍ୟାରିଅରରେ ୯୪ଗୋଲ ସ୍କୋର କରିଛନ୍ତି।

ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋର କରିବାରେ ସୁନୀଲ ଛେତ୍ରୀ ଚତୁର୍ଥ ସ୍ଥାନରେ ଅଛନ୍ତି। ଅଧିକାଂଶ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ ପ୍ରଥମ ସ୍ଥାନରେ ଅଛନ୍ତି। ରୋନାଲଡୋ ଏପର୍ଯ୍ୟନ୍ତ ୨୦୬ଟି ମ୍ୟାଚ୍ ଖେଳି ମୋଟ ୧୨୮ଗୋଲ ସ୍କୋର କରିଛନ୍ତି। ଏହା ପରେ ଅଛନ୍ତି ଇରାନର ପୂର୍ବତନ ଖେଳାଳି ଅଲି ଦଇ, ଯିଏ ୧୪୮ଟି ମ୍ୟାଚରେ ୧୦୮ଗୋଲ କରିଛନ୍ତି। ଏହା ପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ୧୦୬ଗୋଲ ସ୍କୋର କରି (୧୮୦ଟି ମ୍ୟାଚ) ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଅଧିନାୟକତ୍ୱରେ ବର୍ତ୍ତମାନ ଭାରତ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟାର ଗ୍ରୁପ୍‌ ଏରେ ଦ୍ୱିତୀୟ ସ୍ଥାନରେ ରହିଛି।