FeaturedGeneralLatestPolitics

ଆପ୍ କୁ ଭୋଟ ଦେଲେ ରାହୁଲ, କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ (ସଂକେତ ଟିଭି): ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବାବେଳେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଭୋଟ ଦେଇଛନ୍ତି । ହେଲେ ରାହୁଲ ଓ ସୋନିଆ କଂଗ୍ରେସ ପରିବର୍ତ୍ତେ ଆମ ଆଦମୀ ପାର୍ଟିକୁ ଭୋଟ ଦେଇଛନ୍ତି । ସେହିପରି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଆମ ଆଦମୀ ପାର୍ଟି ପରିବର୍ତ୍ତେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।

ମୋଟ ସାତୋଟି ସଂସଦୀୟ ଆସନ ମଧ୍ଯରେ ଆମ ଆଦମୀ ପାର୍ଟି ଚାରୋଟି ଆସନ ଓ କଂଗ୍ରେସ ଅବଶିଷ୍ଟ ତିନୋଟି ଆସନରେ ନିର୍ବାଚନ ଲଢୁଛନ୍ତି । ନୂଆଦିଲ୍ଲୀ ସଂସଦୀୟ ଆସନରେ ଉଭୟ ସୋନିଆ ଓ ରାହୁଲ ଭୋଟ ଦେଇଛନ୍ତି । ମେଣ୍ଟ ବୁଝାମଣାରେ ଏହି ଆସନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସୋମନାଥ ଭାରତୀ ଛିଡା ହୋଇଛନ୍ତି । ‘ଇଣ୍ଡିଆ’ ମେଣ୍ଟର ମିଳିତ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ କନ୍ୟା ବାଂଶୁରୀ ସ୍ବରାଜଙ୍କୁ ପ୍ରାର୍ଥୀ କରିଛି । ତେଣୁ ରାହୁଲ ଓ ସୋନିଆ ମେଣ୍ଟ ତଥା ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଭୋଟ ଦେଇଥିବା ଏକପ୍ରକାର ଅନୁମେୟ ।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସପରିବାର ଦିଲ୍ଲୀର ଚାନ୍ଦିନଚୌକ ଆସନରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ତଥା କଂଗ୍ରେସ ନେତା ଜେପି ଅଗ୍ରଓ୍ବାଲ ନିର୍ବାଚନ ଲଢୁଛନ୍ତି । ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲଓ୍ବାଲଙ୍କୁ ମୁକାବିଲା କରୁଛନ୍ତି କଂଗ୍ରେସର ଜେପି ଅଗ୍ରଓ୍ବାଲ । ତେଣୁ କେଜ୍ରିଓ୍ବାଲ ଓ ତାଙ୍କ ପରିବାର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମତଦାନ କରିଛନ୍ତି ।