FeaturedGeneralLatestPolitics

କଂଗ୍ରେସ ନେତା ରାହୁଲ ଗାନ୍ଧି ଅସୁସ୍ଥ, ସମସ୍ତ ଗସ୍ତ ବାତିଲ

ନୂଆଦିଲ୍ଲୀ (ସଂକେତ ଟିଭି) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଜଣାପଡିଛି । ସେ ଅସୁସ୍ଥତା କାରଣରୁ ମଧ୍ୟପ୍ରଦେଶର ସତନା ଏବଂ ଝାଡ଼ଖଣ୍ଡର ରାଞ୍ଚି ଗସ୍ତ ତାଙ୍କର ବାତିଲ ହୋଇଛି । ରାହୁଲଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସତନା ଗସ୍ତ କରିବେ । ଏ ନେଇ କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ୍‌ ଅଧ୍ୟକ୍ଷ ଜିତୁ ପଟଓ୍ଵାରୀ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି ।

ସେ ଲେଖିଛନ୍ତି, ‘ରାହୁଲ ଗାନ୍ଧି ଅସୁସ୍ଥ ହୋଇପଡ଼ିବାରୁ ଆଜି ସତନା ଆସିପାରୁ ନାହାନ୍ତି । ଏଭଳି ସ୍ଥିତିରେ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସତନା ଯିବାକୁ ଅନୁରୋଧ କରିଛନ୍ତି’ । ପଟଓ୍ଵାରୀ ଆହୁରି ଲେଖିଛନ୍ତି ଯେ ‘ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ୍‌ଗେ ସତନାରେ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ସମର୍ଥନରେ ହେବାକୁ ଥିବା ସଭାରେ ନିଜର ଉପସ୍ଥିତି ସୁନିଶ୍ଚିତ କରିଛନ୍ତି’ ।

ରାହୁଲ ଗାନ୍ଧି ଖୁବଶୀଘ୍ର ସୁସ୍ଥ ହୋଇ ଯୋଜନା ହୋଇଥିବ‌ା କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେବେ। ରାହୁଲ ରବିବାର ମଧ୍ୟପ୍ରଦେଶର ସତନାରେ ପହଞ୍ଚି କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏକ ସାଧାରଣ ସଭା କରିବାର ଯୋଜନା ରଖିଥିଲେ କିନ୍ତୁ ଏହା ପୂର୍ବରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା।’

ସୂଚନାଥାଉ କି, ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ସତନାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏପ୍ରିଲ ୨୬ରେ ସତନାରେ ମଧ୍ୟ ଭୋଟିଂ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସତନା ଆସିବାର ଥିଲା । ହେଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କର ଗସ୍ତ ବାତିଲ ହୋଇଛି । ଏହା ପୂର୍ବରୁ ରାହୁଲ ଏପ୍ରିଲ ୮ରେ ମଣ୍ଡଲା ଓ ଶହଡୋଲରେ ନିର୍ବାଚନୀ ସଭା କରିଥିଲେ ।

ସେପଟେ ରାଞ୍ଚିରେ ଆଜି ଇଣ୍ଡିଆ ମେଣ୍ଟର ମେଗା ରାଲି ହେଉଛି । ଏଥିରେ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି ।